ନାମାଙ୍କନ ଦାଖଲ କଲେ NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ନାମାଙ୍କନ ପତ୍ର ଦାଖଲ କରିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏଇ ସମୟରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ରିଟର୍ଣ୍ଣିଂ ଅଫିସର ପିସି ମୋଦୀଙ୍କ ନିକଟରେ ଦାଖଲ କଲେ ନାମାଙ୍କନ । ଏହାସହ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ନାମାଙ୍କନ ପରେ ଦୌପଦୀଙ୍କ ତରଫରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଫୋନ ମାଧ୍ୟମରେ କଥା ହୋଇ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । କୁହାଯାଉଛି କି ଏହି ଫୋନ ବେଳେ ମମତା ବାନାର୍ଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନ ନେଇ ଶୁଭକାମନା ଜଣାଇଛନ୍ତି । ଏହାସହ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ସେ ଦଳ ସହ ଆଲୋଚନା କରିବେ ବୋଲି କହିଥିବା ସୂତ୍ର ସୂଚନା ରହିଛି ।

ଅନ୍ୟପଟେ ଦେଶର ସର୍ବୋଚ୍ଚ ଆସନରେ ଓଡ଼ିଆ ଝିଅଙ୍କୁ ବସାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପୂରା ଦମ୍‌ ଲଗାଇ ଦେଇଛନ୍ତି । ଦ୍ରୌପଦୀଙ୍କ ସମର୍ଥନରେ ନବୀନ ନେତୃତ୍ୱ ନେଇ ଆଗକୁ ବାହାରିଛନ୍ତି । ଏକଦା ନବୀନଙ୍କ ହାତରେ ଯିଏ ରାକ୍ଷୀ ବାନ୍ଧିଥିଲେ, ସେଇ ଓଡ଼ିଆ ଭଉଣୀଙ୍କୁ ଜିତାଇବା ପାଇଁ ନବୀନ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଛନ୍ତି ।