ମୋବାଇଲ ୟୁଜର୍ସଙ୍କ ପାଇଁ ବଡ଼ ସୂଚନା: ଅଟୋମେଟିକ ଆସିବ ସଞ୍ଚାର ‘ଆପ୍’
ଅନ୍ ଇନଷ୍ଟଲ କରିପାରିବେନି ୟୁଜର୍ସ! ସ୍ପଷ୍ଟ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ, ୦୨/୧୨: ଏଥର ଭାରତରେ ବିକ୍ରି ହେଉଥିବା ସବୁ ଫୋନରେ ରହିବ ‘ସଞ୍ଚାର ଆପ୍’। ସାଇବର ଠକେଇ ବିରୋଧରେ ଲଢ଼ିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତ୍ୟେକ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ୍ ସଞ୍ଚାର ସାଥୀ ପ୍ରି ଇନଷ୍ଟଲ୍ କରାଯିବ। ପୁରୁଣା ଫୋନରେ ସଫ୍ଟୱେର୍ ଅପଡେଟ୍ ମାଧ୍ୟମରେ ଏହାକୁ ଇନଷ୍ଟଲ୍ କରାଯିବ।
ସରକାର ଅନ୍ୟ ମେସେଜିଂ ଆପ୍ସ ହ୍ୱାଟସଆପରେ ସିମ୍ ବାଇଣ୍ଡିଂ କରିବାକୁ ଚାହୁଁଥିବା ରିପୋର୍ଟ ପ୍ରକାଶ ପାଇବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ ଏହାକୁ ନେଇ ବିବାଦ ଆରମ୍ଭ ହେଲାଣି। ସରକାର ପ୍ରତ୍ୟେକ ମୁହୂର୍ତ୍ତରେ ସାଧାରଣ ଲୋକଙ୍କ ଉପରେ ନଜର ରଖିପାରିବେ ବୋଲି ଅଭିଯୋଗ ଆସିଛି।
ଫୋନ୍ ପ୍ରସ୍ତୁତ ହେଉଥିବା ସମୟରେ ସଂଚାର ସାଥୀ ଲୋଡ୍ କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ। ଏଥି ସହ କେବଳ ଆପ୍ ଇନଷ୍ଟଲ ହେବା ଆବଶ୍ୟକ ନୁହେଁ, ଏହାକୁ ସକ୍ରିୟ ରଖିବା ମଧ୍ୟ ଆବଶ୍ୟକ। ୯୦ ଦିନ ମଧ୍ୟରେ, ଅର୍ଥାତ୍ ତିନି ମାସ ମଧ୍ୟରେ ଇନଷ୍ଟଲ କରାଇବା ପାଇଁ ମୋବାଇଲ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆପଲ୍, ସାମସଙ୍ଗ, ଭିଭୋ ଇତ୍ୟାଦି କମ୍ପାନୀଗୁଡ଼ିକ ୧୨୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଆପ୍ ନକଲି IMEMI ନମ୍ବର ସ୍କାମ୍, ସାଇବର ଠକେଇ ଓ ଫୋନ୍ ଚୋରି ରୋକିବାରେ ସହାୟକ ହେବ।
ଏହି ଆପ୍ ଜରିଆରେ ପୂର୍ବରୁ ୭ ଲକ୍ଷରୁ ଅଧିକ ହଜିଯାଇଥିବା ଫୋନ୍ ଫେରି ପାଇବାରେ, ୩.୭ ନିୟୁତରୁ ଅଧିକ ଚୋରି ହୋଇଥିବା ଡିଭାଇସକୁ ବ୍ଲକ୍ କରିବାରେ ଏବଂ ୩୦ ନିୟୁତ ଚୋରି ମୋବାଇଲ୍ ସଂଯୋଗକୁ ସମାପ୍ତ କରିବାରେ ସାହାଯ୍ୟ କରିଛି।
ପୂର୍ବରୁ ରୁଷ ଓ ଚୀନ୍ ଏପରି ଆପ୍ ର ବିକଶିତ କରି ସାରିଥିବା ବେଳେ ଭାରତ ମଧ୍ୟ ଏଭଳି ଆପ୍ କୁ ବାଧ୍ୟତାମୂଳକ କରିବାକୁ ଯାଉଛି। ଏହି ଆପ୍ ବାଧ୍ୟତାମୂଳକ ନୁହେଁ ଏବଂ ପରେ ଏହାକୁ ଡିଲିଟ୍ କିମ୍ବା ଅନ୍ ଇନଷ୍ଟଲ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ।
ଏହି ଆପ୍ ଦ୍ୱାରା ୟୁଜର୍ସ କ’ଣ ଲାଭ ପାଇବେ
– ସମସ୍ତ ନେଟୱାର୍କରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଫୋନଗୁଡ଼ିକୁ ବ୍ଲକ୍ କରିହେବ
– ଫୋନ୍ ଅସଲି କି ନାହିଁ ଯାଞ୍ଚ କରିବା ପାଇଁ IMEI ପ୍ରାମାଣିକତା ଯାଞ୍ଚ କରାଯାଇପାରିବ
– ୟୁଜର୍ସଙ୍କ ଆଇଡି ସହିତ କେତେ ମୋବାଇଲ୍ ନମ୍ବର ଲିଙ୍କ୍ ହୋଇଛି ଦେଖିପାରିବେ
– ସନ୍ଦେହଜନକ କଲ୍ କିମ୍ବା ଯୋଗାଯୋଗ ରିପୋର୍ଟ କରନ୍ତୁ
– ଚୋରି ହୋଇଥିବା ଡିଭାଇସଗୁଡ଼ିକୁ ଟ୍ରାକିଂ କରିବାରେ ପୋଲିସକୁ ସହାୟତା କରିହେବ