ପାକିସ୍ତାନର ଲୋକ ଦେଖାଣିଆ ସାହାଯ୍ୟ

ରିଲିଫ୍ ରେ ପଠାଇଲା ପଚା ଓ ଅବଧି ସରି ଯାଇଥିବା ଖାଦ୍ୟ

ଇସଲାମାବାଦ, ୦୨/୧୨: ବାତ୍ୟା ଦିତ୍ୱାରେ ଶ୍ରୀଲଙ୍କା ପୂରା ଛାରଖାର ହୋଇ ଯାଇଥିବା ବେଳେ ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ବ୍ୟାପକ କ୍ଷୟକ୍ଷତି ଘଟାଇଛି ଦିତ୍ୱା। ଭାରତ ସମେତ ଅନେକ ଦେଶ ସହାୟତା ପାଇଁ ରିଲିଫ୍ ସାମଗ୍ରୀ ପଠାଇଛନ୍ତି। ଏ ସମୟରେ ପାକିସ୍ତାନ ମଧ୍ୟ ସହାୟତା ପାଇଁ ରିଲିଫ୍ ସାମଗ୍ରୀ ପଠାଇଛି। କିନ୍ତୁ ପାକିସ୍ତାନ ସାହାଯ୍ୟ ନାମରେ ଶ୍ରୀଲଙ୍କାକୁ ପଠାଇଥିବା ରିଲିଫ୍ ସାମଗ୍ରୀର ଅବଧି ସରିଯାଇଥିବା ଜଣାପଡିଛି।

ପାକିସ୍ତାନ ତୁରନ୍ତ ଶ୍ରୀଲଙ୍କାକୁ ଖାଦ୍ୟ ସାମଗ୍ରୀ ପଠାଇଥିଲା ଏବଂ ଶ୍ରୀଲଙ୍କାରେ ଥିବା ପାକିସ୍ତାନୀ ଦୂତାବାସର ଏକ୍ସ ଆକାଉଣ୍ଟରୁ ଫଟୋ ସେୟାର କଲା। କିନ୍ତୁ, ଏହି ଠକାମୀ ପ୍ଲାନିଂ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଲା ନାହିଁ। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋଗୁଡ଼ିକୁ ଜୁମ୍ କରିବା ପରେ ଜଣାପଡ଼ିଥିଲା ଯେ, ୨୦୨୪ ରୁ ହିଁ ଖାଦ୍ୟ ସାମଗ୍ରୀର ଅବଧି ସରିଯାଇଛି। ସେହି ଖାଦ୍ୟ ଗୁଡ଼ିକ ପଚି ଯାଇଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପାକିସ୍ତାନକୁ ଜୋରଦାର ସମାଲୋଚନା କରାଯାଉଛି।

ଆଶ୍ଚର୍ଯ୍ୟର କଥା, ପାକିସ୍ତାନ ପୂର୍ବରୁ ତୁର୍କୀ ସହିତ ମଧ୍ୟ ଏପରି ବିଶ୍ୱାସଘାତକତା କରିଛି। ୨୦୨୩ ମସିହାରେ ତୁର୍କୀରେ ହୋଇଥିବା ଭୂମିକମ୍ପ ପରେ, ଭାରତ ଏକ ବିଶାଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଟନ୍ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଥିଲା। ଭାରତ ବିଶ୍ୱବ୍ୟାପୀ ପ୍ରଶଂସା ପାଇବା ମାତ୍ରେ, ଶେହବାଜ ସରିଫ ବ୍ୟକ୍ତିଗତ ଭାବରେ ରିଲିଫ୍ ସାମଗ୍ରୀ ସହିତ ତୁର୍କୀରେ ପହଞ୍ଚିଥିଲେ। କିନ୍ତୁ ଭଲ ଭାବରେ ଯାଞ୍ଚ କରିବା ପରେ ଜଣାପଡିଲା ଯେ ଏହି ସମାନ ରିଲିଫ୍ ସାମଗ୍ରୀ ତୁର୍କୀ ବନ୍ୟା ସମୟରେ ପାକିସ୍ତାନକୁ ପଠାଇଥିଲା।