ସ୍ୱାଭାବିକ ହେଉଛି ଇଣ୍ଡିଗୋ ସଙ୍କଟ: ୬୧୦ କୋଟି ଟଙ୍କା ରିଫଣ୍ଡ କଲାଣି

୩୦୦୦ଟି ଲଗେଜ ଫେରସ୍ତ କଲାଣି ଇଣ୍ଡିଗୋ

ନୂଆଦିଲ୍ଲୀ, ୦୭/୧୨: ଇଣ୍ଡିଗୋ ସଙ୍କଟ ଧୀରେ ଧୀରେ ନିୟନ୍ତ୍ରଣ କୁ ଆସୁଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ବ୍ୟାପକ ବିମାନ ବାତିଲ ଏବଂ ବିଳମ୍ବ ଯୋଗୁଁ ପ୍ରଭାବିତ ଯାତ୍ରୀଙ୍କ ପାଇଁ ବିମାନ କମ୍ପାନୀ ଏପର୍ଯ୍ୟନ୍ତ ୬୧୦ କୋଟି ଟଙ୍କାର ରିଫଣ୍ଡ ପ୍ରକ୍ରିୟାକରଣ କରିଛି। ଶନିବାର ସୁଦ୍ଧା, ସାରା ଭାରତରେ ଯାତ୍ରୀମାନଙ୍କୁ ପ୍ରାୟ ୩ ହଜାର ଲଗେଜ ମଧ୍ୟ ଫେରସ୍ତ କରାଯାଇଛି।

ଗତ କିଛି ଦିନ ମଧ୍ୟରେ ଶହ ଶହ ଉଡ଼ାଣ ବାତିଲ ଏବଂ ବିଳମ୍ବ ହୋଇଛି। ଯାହା ଦ୍ୱାରା ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨୩୦୦ ଉଡ଼ାଣ ପରିଚାଳନା କରେ। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଶନିବାର ପ୍ରାୟ ୧୫୦୦ ଉଡ଼ାଣ କରିଥିଲା। ଇଣ୍ଡିଗୋ ଅନୁଯାୟୀ, ଡିସେମ୍ବର ୭ ତାରିଖରେ ୧୩୮ ଟି ସ୍ଥାନରୁ ୧୩୭ ଟି ଉଡ଼ାଣ ଚାଲୁଛି।

ଇଣ୍ଡିଗୋରେ ସଙ୍କଟ ନେଇ ତଦନ୍ତ କମିଟି ଗଠନ କରିଛି DGCA। ସ୍ଥିତି ସମୀକ୍ଷା ସହ ତଦନ୍ତ କରିବ ୪ ଜଣିଆ କମିଟି। ୧୫ ଦିନ ମଧ୍ୟରେ DGCAକୁ ରିପୋର୍ଟ ଦାଖଲ କରିବ କମିଟି। ସୁପାରିସ୍ ସହ ଆଗାମୀ ପଦକ୍ଷେପ ବାବଦରେ ଅବଗତ କରାଇବ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଇଣ୍ଡିଗୋର ଉଡାଣ ବାତିଲ ଯୋଗୁଁ ଅନ୍ୟ ଏୟାରଲାଇନ୍ସର ଟିକେଟ ଦର ବୃଦ୍ଧିକୁ ନେଇ ଏକ ନିର୍ଦ୍ଧାରିତ ଦର ନିର୍ଦ୍ଧାରଣ କରିଛି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପରଠାରୁ, ପ୍ରଭାବିତ ରୁଟ୍ ଗୁଡିକରେ ଭଡ଼ା ଦର‌ ନିୟନ୍ତ୍ରଣକୁ ଆସିଛି।

ମନ୍ତ୍ରଣାଳୟ ଇଣ୍ଡିଗୋକୁ କଡ଼ା ନିର୍ଦ୍ଦେଶ ଜାରି କରିଛି ଯେ ବାତିଲ କିମ୍ବା ଅତ୍ୟଧିକ ବିଳମ୍ବ ହୋଇଥିବା ବିମାନଗୁଡ଼ିକର ସମସ୍ତ ରିଫଣ୍ଡ ଆଜି ରାତି ୮ ଟା ସୁଦ୍ଧା ସମାପ୍ତ କରିବାକୁ ପଡିବ। ଇଣ୍ଡିଗୋ ଏପର୍ଯ୍ୟନ୍ତ ମୋଟ ୬୧୦ କୋଟି ଟଙ୍କାର ରିଫଣ୍ଡ ପ୍ରକ୍ରିୟାକରଣ କରିଛି। ଯାତ୍ରୀ ମାନଙ୍କ ଲଗେଜକୁ ୪୮ ଘଣ୍ଟା ମଧ୍ୟରେ ଖୋଜି ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଯେଉଁଥିରୁ ୩୦୦୦ଟି ଲଗେଜ ଫେରସ୍ତ କରି ଦିଆସାରିଲାଣି।

ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ ଗୋଆର ବିମାନବନ୍ଦର ନିର୍ଦ୍ଦେଶକମାନେ ଆଜି ସମସ୍ତ ଟର୍ମିନାଲରେ ସ୍ୱାଭାବିକ ପରିସ୍ଥିତି ନିଶ୍ଚିତ କରିଛନ୍ତି।