ଥାଇଲ୍ୟାଣ୍ଡ/କାମ୍ବୋଡିଆ, ୦୮/୧୨: ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ କାମ୍ବୋଡିଆ ଉପରେ ବିମାନ ଆକ୍ରମଣ ଆରମ୍ଭ କରିଛି। ଉଭୟ ପକ୍ଷ ସେମାନଙ୍କର ବିବାଦୀୟ ସୀମାରେ ପୁଣି ଯୁଦ୍ଧ କରିବା ଆରମ୍ଭ କଲେଣି। ଯେଉଁଥିରେ ଚାରି କାମ୍ବୋଡିଆନ୍ ନାଗରିକ ଏବଂ ଜଣେ ଥାଇ ସୈନିକଙ୍କ ମୃତ୍ୟୁ ଘଟିଛି, ଆଠ ଜଣ ସୈନିକ ଆହତ ହୋଇଛନ୍ତି। ଥାଇଲ୍ୟାଣ୍ଡର ପ୍ରାୟ ୩୫ ହଜାର ଲୋକଙ୍କୁ ସୀମାବର୍ତ୍ତୀ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି।
ଗତ କିଛି ମାସ ତଳେ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ପାଞ୍ଚ ଦିନ ଧରି ଚାଲିଥିବା ଯୁଦ୍ଧରେ ଯୁଦ୍ଧବିରାମ ଲାଗୁ ହେବା ପୂର୍ବରୁ ସୀମାର ଉଭୟ ପାର୍ଶ୍ୱରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୩ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିଲେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥି ପରେ ଯୁଦ୍ଧ ଥମିଥିଲା। ସେବେଠାରୁ, କାମ୍ବୋଡିଆ ଏବଂ ଥାଇ ସୀମାରେ ଆଂଶିକ ଉତ୍ତେଜନା ଲାଗି ରହିଛି। ଯାହା ସୋମବାର ପୁଣି ଥରେ ଆରମ୍ଭ ହୋଇଥିଲା। ଏବଂ ଏଥିରେ ଉଭୟ ପକ୍ଷର ସୀମା ନିକଟରୁ ହଜାର ହଜାର ସାଧାରଣ ନାଗରିକ ନିଜ ଘର ଛାଡି ପଳାଇ ଯାଇଥିଲେ।
କାମ୍ବୋଡିଆର ସୂଚନା ମନ୍ତ୍ରୀ ନେଥ୍ ଫେକ୍ଟ୍ରା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସୀମାନ୍ତ ପ୍ରଦେଶ ଓଡାର ମିଞ୍ଚେରୁ ଅତି କମରେ ୧୧୫୭ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରବିବାର ଆରମ୍ଭ ହୋଇଥିବା ଯୁଦ୍ଧ ସୋମବାର ସକାଳେ ଆହୁରି ତୀବ୍ର ହୋଇଗଲା।
ଉଭୟ ଦେଶର ସୀମା ନିକଟରେ ବହୁ ବର୍ଷରୁ ଥିବା ଏକ ମନ୍ଦିରକୁ ନେଇ ଉତ୍ତେଜନା ଲାଗି ରହୁଛି। ଏହି ମନ୍ଦିରକୁ ଉଭୟ ନିଜର ବୋଲି ଦାବି କରୁଛନ୍ତି।