ଭୁବନେଶ୍ୱର, ୧୭/୧୨: ଯୁଦ୍ଧଗ୍ରସ୍ତ ସୁଦାନରେ ବିଦ୍ରୋହୀମାନଙ୍କ କବଳରେ ଫସିଥିବା ଜଗତସିଂପୁର ଜିଲ୍ଲାର ଆଦର୍ଶ ବେହେରା ଓଡ଼ିଶା ଫେରିଛନ୍ତି। ଆଜି ସକାଳେ ଆଦର୍ଶ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଜଗତସିଂହପୁର ଅଭିମୁଖେ ଯାଇଛନ୍ତି। ପ୍ରଥମେ ଆବୁଧାବିରୁ ହାଇଦ୍ରାବାଦ ଓ ପରେ ସେଠାରୁ ଭୁବନେଶ୍ବର ଅଭିମୁଖେ ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଦେଖି ଅତ୍ୟନ୍ତ ଭାବ ବିହ୍ୱଳ ହୋଇଯାଇଥିଲେ ଆଦର୍ଶ।
ଆଦର୍ଶ ବେହେରାଙ୍କ ଘର ହେଉଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ଗାଁରେ। ତାଙ୍କୁ ସୁଦାନର ଚାଲିଥିବା ନାଗରିକ ସଂଘର୍ଷରେ ସାମିଲ ଥିବା ଏକ ଶକ୍ତିଶାଳୀ ଅର୍ଦ୍ଧସାମରିକ ଦଳ ରାପିଡ୍ ସପୋର୍ଟ ଫୋର୍ସ (RSF) ଦ୍ୱାରା ବନ୍ଧକ ରଖାଯାଇଥିଲା।
ସଶସ୍ତ୍ର ବିଦ୍ରୋହୀମାନେ ଆଦର୍ଶଙ୍କୁ ଅପହରଣ କରିନେଇଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟକ୍ତିଗତ ଜିନିଷପତ୍ର ଛଡ଼ାଇ ନେଇଥିଲେ। ଅପହରଣ ପୂର୍ବରୁ, ଆଦର୍ଶ ପରିବାରକୁ ତାଙ୍କ ଅବସ୍ଥା ବିଷୟରେ କହିଥିଲେ। ଏହା ପରେ ତାଙ୍କ ପରିବାର ପକ୍ଷରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଉଭୟ ହସ୍ତକ୍ଷେପ କରିବା ଫଳରେ ଅପହରଣକାରୀମାନେ ତାଙ୍କୁ ମୁକ୍ତ କରିଥିଲେ।
ମୁକ୍ତ ହୋଇ ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ କହିଛନ୍ତି, ଗୃହ ଯୁଦ୍ଧ ବେଳେ ସେ ସୁରକ୍ଷିତ ସ୍ଥାନାକୁ ଯିବା ବେଳେ RSF ତାଙ୍କୁ ଅପହରଣ କରିନେଇଥିଲା। ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ। ଭାରତୀୟ ବୋଲି ଜାଣି ନଥିଲେ, ୧୫ରୁ ୨୦ ଜଣ ଅପହରଣ କରିନେଇଥିଲେ। ୨,୩ ଦିନ ଜଙ୍ଗଲ ଓ ପରେ ଜେଲ୍ରେ ରଖିଥିଲେ। ମୁଁ ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି। ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ। ୩ ଜଣଙ୍କୁ ଅପହରଣ କରି ନେଇଥିଲେ, ପରେ ମାଲିକଙ୍କୁ ଛାଡ଼ିଦେଇଥିଲେ। ଶାହରୁଖ ଖାନଙ୍କୁ ଜାଣିଛ ବୋଲି ପଚାରୁଥିଲେ ବୋଲି କହିଛନ୍ତି ଆଦର୍ଶ।
ସୂଚନାଯୋଗ୍ୟ, ଆଦର୍ଶ ୨୦୨୨ ମସିହାରୁ ସୁଦାନର ଏକ ପ୍ଲାଷ୍ଟିକ୍ କମ୍ପାନୀରେ ମେସିନ୍ ଅପରେଟର ଭାବରେ କାମ କରୁଥିଲେ। ସୁଦାନର ରାଜଧାନୀ ଖାର୍ତୁମରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଥିବା ଅଲ-ଫାସିରରୁ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା।