ଢାକା, ୨୧/୧୨: ବାଂଲାଦେଶ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ଦେଶ। ପ୍ରତିବାଦ… ହିଂସାକାଣ୍ଡ… ଅଶାନ୍ତ ଥମିବାର ନାଁ ଧରୁନି। ବାଂଲାଦେଶରେ ଦେଖାଦେଇଥିବା ହିଂସା ନିରନ୍ତର ଜାରି ରହିଛି। ରାଜଧାନୀ ଢାକାରେ ବଡ଼ ଧରଣର ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳୁଛି। ଅତି ଉଗ୍ର ରୂପ ନେଉଛି ହିଂସାକାଣ୍ଡ। ଏହି ସମୟରେ ଯଦି ଓସମାନ ହାଦିଙ୍କ ହତ୍ୟାକାରୀକୁ ଧରା ନଯାଏ, ତାହାଲେ ଆହୁରି ତୀବ୍ର ରୂପ ନେବ ଆନ୍ଦୋଳନ ବୋଲି ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଧମକ ଦେଇଛନ୍ତି ଓସମାନଙ୍କ ସମର୍ଥକ।
ଦୁଇ ଦିନ ତଳେ ଜଣେ ହିନ୍ଦୁ ଯୁବକଙ୍କୁ ଧର୍ମ ବିରୋଧୀ ନାରା ଦେଉଥିବା ଅଭିଯୋଗରେ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ପୋଲିସ ପରେ ଘଟଣାସ୍ଥଳରେ ପହଞ୍ଚି ମରଶରୀରକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହି ଘଟଣାରେ ୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଗଲାଣି।
ଏହି ଘଟଣା ଅତ୍ୟନ୍ତ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଣି ଆଉ ଏକ ସ୍ପର୍ଶକାତର ଘଟଣା ସାମନାକୁ ଆସିଛି। ହିଂସାକାଣ୍ଡ ଘଟାଇଥିବା ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଜଣେ ନେତା ବିଲାଲ ହୁସେନ୍ ଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଘରର କବାଟ ବନ୍ଦ କରି ବାହାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ହିଂସାକାରୀ। ନିଆଁ ଲଗାଇବା ପରେ ଘର ଭିତରେ ଥିବା ହୁସେନ, ତାଙ୍କ ପତ୍ନୀ ନଜମା ଓ ଦୁଇ ପୁଅ ବାହାରକୁ ପଳାଇ ଆସିବା ବେଳେ ତିନି ଝିଅଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କରାନ୍ତୁ ସେତେବେଳକୁ ତାଙ୍କ ସାନ ଝିଅ ଆୟେଶାଙ୍କର ମୃତ୍ୟୁ ହୋଇ ସାରିଥିଲା। ଅନ୍ୟ ଦୁଇ ଝିଅ ଗମ୍ଭୀର ଭାବେ ଆହତ ହୋଇଛନ୍ତି।
ସେହିପରି ବାଂଲାଦେଶର ୨ ପ୍ରମୁଖ ଖବର କାଗଜ ପ୍ରଥମ ଆଲୋ ଓ ଦି ଡେଲି ଷ୍ଟାର ଅଫିସରେ ନିଆଁ ଲଗାଇ ଦେଇଥିଲେ। ଖବରକାଗଜ ଅଫିସରେ ପଶି ଭଙ୍ଗାରୁଜା କରିଥିଲେ। ଖବରକାଗଜ ସଂସ୍ଥା ଆରମ୍ଭ ହେବା ଦିନଠାରୁ ପ୍ରଥମ କରି ଖବରକାଗଜ ଛାପିବା ବନ୍ଦ ହୋଇଛି ବୋଲି ସମ୍ପାଦକମାନେ କହିଛନ୍ତି।
ତେବେ ଏହି ହିଂସା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ର ହାତ ଥିବା କୁହାଯାଉଛି। ଆଇଏସଆଇ ଏକ ଗୋପନୀୟ ସେଲ୍ ଗଠନ କରିଛି। ଏହି ସେଲରେ ଜଣେ ବ୍ରିଗେଡିୟର, ୨ ଜଣ କର୍ଣ୍ଣେଲ, ୪ ଜଣ ମେଜର, ସ୍ଥଳ ସେନା, ନୌସେନା ଓ ବାୟୁସେନା ସହ ଜଡ଼ିତ ଅନ୍ୟାନ୍ୟ ଅଧିକାରୀ ସାମିଲ ଅଛନ୍ତି। ଏହାର ଉଦ୍ଦେଶ୍ୟ ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରିବା ଏବଂ ଭାରତ ବିରୋଧୀ ଓ କଟ୍ଟରପନ୍ଥୀ ବିଚାରଧାରାକୁ ଆକର୍ଷିତ କରିବା।
ଏହି ସମୟରେ, ଓସମାନ ହାଦିଙ୍କ କବର ପରେ ତାଙ୍କ ସମର୍ଥକମାନେ ବ୍ୟାରିକେଡ୍ ଭାଙ୍ଗି ପ୍ରତିବାଦକାରୀମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ଗୃହ ବିଭାଗ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀଙ୍କ ଇସ୍ତଫା ପାଇଁ ମଧ୍ୟ ଦାବି ତୀବ୍ର ହୋଇଛି। ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ ହାଦିଙ୍କ ଗୁଳିମାଡ଼ର ଗୋଟିଏ ସପ୍ତାହ ପରେ ମଧ୍ୟ ହତ୍ୟାକାରୀମାନଙ୍କୁ ଗିରଫ କରାଯାଇ ନାହିଁ। ତାଙ୍କ ସମର୍ଥକମାନେ ୟୁନୁସ୍ ସରକାରଙ୍କୁ ଧମକ ଦେଇଛନ୍ତି। ହାଦିଙ୍କ ସମର୍ଥକମାନେ ୟୁନୁସ୍ ସରକାରଙ୍କୁ ୨୪ ଘଣ୍ଟାର ଅଲଟିମେଟମ୍ ଦେଇଛନ୍ତି ଯେ, ଯଦି ୨୪ ଘଣ୍ଟା ମଧ୍ୟରେ ହାଦିଙ୍କ ସମସ୍ତ ହତ୍ୟାକାରୀଙ୍କୁ ଗିରଫ କରା ନ ଯାଏ, ତେବେ ଏକ ବଡ଼ ପ୍ରତିବାଦ କରାଯିବ।
ଏହି ସମୟରେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ ଉସମାନ ହାଦିଙ୍କୁ କେବେ ଭୁଲିଯିବ ନାହିଁ ଏବଂ ସେ ଜାତି ପାଇଁ ଛାଡ଼ିଯାଇଥିବା ଶିକ୍ଷା ମାଧ୍ୟମରେ ବଞ୍ଚି ରହିବେ। ୟୁନୁସ୍ ପୂର୍ବରୁ କହିଥିଲେ ଯେ ହାଦିଙ୍କ ହତ୍ୟାକାରୀମାନଙ୍କ ପ୍ରତି କୌଣସି ପ୍ରକାରର ଅନୁକମ୍ପା ଦେଖାଯିବ ନାହିଁ।
ଇନକିଲାବ ମଞ୍ଚ ସହିତ ଜଡିତ ହାଦିଙ୍କ ଘନିଷ୍ଠ ସହଯୋଗୀ ଅବଦୁଲ୍ଲାହ ଅଲ-ଜାବେର କହିଛନ୍ତି ଯେ ହାଦିଙ୍କ ହତ୍ୟା ପାଇଁ କିଏ ଦାୟୀ, ଏପର୍ଯ୍ୟନ୍ତ କ’ଣ ତଦନ୍ତ କରାଯାଇଛି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ସରକାରଙ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାର୍ବଜନୀନ ଭାବରେ ସ୍ପଷ୍ଟ କରିବାକୁ ପଡିବ। “ଯଦି ସରକାର ଏହା ନ କରନ୍ତି, ତେବେ ଆମେ ଏକ ବଡ଼ ଆନ୍ଦୋଳନ ଆରମ୍ଭ କରିବୁ,” ଜାବେର କହିଛନ୍ତି।
ପୂର୍ବତନ ମନ୍ତ୍ରୀ ମୋହିବୁଲ ହାସନ ଚୌଧୁରୀ ହାଦିଙ୍କୁ ଜଣେ ମୌଳବାଦୀ ବୋଲି କହିଛନ୍ତି ଏବଂ ୟୁନୁସ୍ ସରକାର ନିର୍ବାଚନକୁ ବିଳମ୍ବିତ କରିବା ପାଇଁ ହିଂସାକୁ ଉସକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।
ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ଉତ୍ତେଜନା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ଭାରତୀୟ ସହାୟକ ଉଚ୍ଚାୟୋଗ କାର୍ଯ୍ୟାଳୟ ଏବଂ ଭିସା ଆବେଦନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଢାକା ଟ୍ରିବ୍ୟୁନ୍ ଖବରକାଗଜ ଅନୁଯାୟୀ, ସିଲେଟ ମେଟ୍ରୋପଲିଟାନ ପୋଲିସ ଅତିରିକ୍ତ ଡେପୁଟି କମିଶନର (ମିଡିଆ) ସୈଫୁଲ ଇସଲାମ କହିଛନ୍ତି ଯେ ପରିସ୍ଥିତିର ସୁଯୋଗ ନେବାରୁ କୌଣସି ତୃତୀୟ ପକ୍ଷକୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଡିସେମ୍ବର ୧୨ ତାରିଖରେ ରାଜଧାନୀ ଢାକାର ବିଜୟନଗର ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ କିଛି ମୁଖାପିନ୍ଧା ବନ୍ଧୁକଧାରୀମାନେ ହାଦିଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା। ଓସମାନ ହାଦିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ହାଦିଙ୍କୁ ଜାତୀୟ କବି କାଜି ନଜରୁଲ ଇସଲାମଙ୍କ କବର ପାଖରେ କବର ଦିଆଯାଇଥିଲା।