ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମାଆ

ପୁଅ ମୃତ୍ୟୁର ତଦନ୍ତ ଦାବି କଲେ

ପତ୍ନୀ ଶ୍ରେୟା ଓ ତାଙ୍କ ପରିବାରକୁ ପଚରାଉଚରା କରାଯାଉ

କଟକ, ୨୧/୧୨: ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ। କଟକ ମର୍କତ ନଗର ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା। ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛନ୍ତି।

ପୁଅକୁ ନିର୍ଯାତନା, ସାମାଜିକ ଅପନିନ୍ଦା ଦିଆଯାଇଥିବା ଅଭିଯୋଗ କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି। ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ତଦନ୍ତ ଦାବି କରିଛନ୍ତି।

ଏତଲାରେ ଦିନେଶ ବେହେରା, ସୋମେଶ ଶତପଥୀ, ପ୍ରଶାନ୍ତ ବେହେରା, ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତକୁ ଆଣିବାକୁ ଦାବି କରିଛନ୍ତି। ଏଥିସହ ଗାୟିକା ଅର୍ପିତା ଚୌଧୁରୀଙ୍କ ଭୂମିକା ଏବଂ ତାଙ୍କର ଓ ତାଙ୍କ ପରିବାରକୁ ପଚରାଉଚରା କରିବା ସହ ସମ୍ପତ୍ତିକୁ ନେଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାରକୁ ପଚରାଉଚରା କରିବା ପାଇଁ ଦାବି କରିଛନ୍ତି।