ଆଖିବୁଜା ଗୁଳିମାଡ଼ କରି ଆକ୍ରମଣକାରୀ ଫେରାର

୧୦ ମୃତ, ଏକାଧିକ ଗୁରୁତର

ଜୋହାନ୍ସବର୍ଗ, ୨୧/୧୨: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନଙ୍କ ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ତେବେ ଆକ୍ରମଣକାରୀ କିଏ ଓ ଆକ୍ରମଣର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ଘଟଣାର ଛାନଭିନ ଆରମ୍ଭ କରିଛି ପୋଲିସ।

ଜୋହାନ୍ସବର୍ଗ ସହରରୁ ୪୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ଥିବା ବେକରସଡାଲରେ ଆକ୍ରମଣ ହୋଇଛି। ଗତ ଡିସେମ୍ବର ୬ ତାରିଖରେ, କିଛି ବନ୍ଧୁକଧାରୀମାନେ ରାଜଧାନୀ ପ୍ରିଟୋରିଆ ନିକଟରେ ଏକ ହଷ୍ଟେଲରେ ଆକ୍ରମଣ କରି ଏକ ତିନି ବର୍ଷର ଶିଶୁ ସମେତ ୧୨ ଜଣଙ୍କୁ ହତ୍ୟା କରିଥିଲେ। ୬୩ ନିୟୁତ ଲୋକ ରହୁଥିବା ଦକ୍ଷିଣ ଆଫ୍ରିକାରେ ଅପରାଧ ହାର ଅଧିକ। ବିଶ୍ୱର ସର୍ବାଧିକ ହତ୍ୟା ଏହିଠାରେ ହିଁ ହୋଇଥାଏ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅଷ୍ଟ୍ରେଲିଆର ସିଡନୀରେ ଦୁଇ ଜଣ ବାପା ପୁଅ ଗୁଳିମାଡ଼ କରି ଆତଙ୍କ ଖେଳାଇ ଥିଲେ। ସେଥିରେ ମଧ୍ୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଇହୁଦୀ ପର୍ବ ପାଳନ ବେଳେ ଶ୍ରଦ୍ଧାଳୁମାନଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ ଦୁଇ ଅଭିଯୁକ୍ତ।