ଚିତ୍ରଦୁର୍ଗ, ୨୫/୧୨: କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। NH-48 ରେ ଏକ ଟ୍ରକ୍ ସହିତ ଧକ୍କା ହୋଇଛି ଏକ ଘରୋଇ ଯାତ୍ରୀବାହୀ ବସ୍। ଧକ୍କା ପରେ ବସ୍ଟିରେ ତୁରନ୍ତ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହିରିୟୁର ଏବଂ ଚିତ୍ରଦୁର୍ଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍ଟି ବେଙ୍ଗାଲୁରୁରୁ ଶିବମୋଗା ଅଭିମୁଖେ ଯାତ୍ରା କରୁଥିଲା।
କୁହାଯାଉଛି ଯେ ହିରିୟୁରରୁ ବେଙ୍ଗାଲୁରୁ ଯାଉଥିବା ଏକ ଟ୍ରକ୍ ର ଡ୍ରାଇଭର ଅସାବଧାନତାର ସହ ଏକ ଡିଭାଇଡର ପାର କରିଥିଲେ। ସେହି ସମୟରେ, ଟ୍ରକ୍ ଟି ବେଙ୍ଗାଲୁରୁରୁ ଶିବମୋଗା ଯାଉଥିବା ଏକ ସ୍ଲିପର ବସ୍ ସହିତ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଲାଗିଥିବା ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ଅନେକ ଯାତ୍ରୀ ଭିତରେ ଫସି ଯାଇଥିଲେ। ଘଟଣା ସମୟରେ ଏଥିରେ ମୋଟ ୩୨ ଜଣ ଯାତ୍ରୀ ଥିଲେ। ଏହାକୁ ଅସାବଧାନତା ବୋଲି କୁହାଯାଉଛି।
ଅଗ୍ନିକାଣ୍ଡ ଘଟିବା ପରେ ତୁରନ୍ତ, ଗୁରୁତର ପୋଡ଼ି ଯାଇଥିବା ଅନେକ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବସ୍ର ଡ୍ରାଇଭର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।