ସିରିଆ, ୨୭/୧୨: ସିରିଆର ହୋମସ ସହରସ୍ଥିତ ଏକ ଆଲାୱି ମସଜିଦରେ ବିସ୍ଫୋରଣ ଘଟି ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ମଧ୍ୟାହ୍ନ ନମାଜ ସମୟରେ ମସଜିଦ ଭିତରେ ବିସ୍ଫୋରଣ ଘଟିଥିଲା। ଏଥିରେ ୨୧ ଜଣ ଆହତ ହୋଇଛନ୍ତି।
ସିରିଆର ସରକାରୀ ଆରବ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ଫଟୋରେ ରକ୍ତ ଲାଗିଥିବା କାର୍ପେଟ, କାନ୍ଥରେ ଗାତ, ଭଙ୍ଗା ଝରକା ଏବଂ ମସଜିଦ ଭିତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି। ସିରିଆର ତୃତୀୟ ବୃହତ୍ତମ ସହର ହୋମ୍ସର ଆଲାୱିଟ୍ ୱାଦି ଅଲ-ଧାହାବରେ ଅବସ୍ଥିତ ଇମାମ ଅଲି ବିନ୍ ଆବି ତାଲିବ ମସଜିଦରେ ଏହି ଆକ୍ରମଣ ଘଟିଥିଲା। ଏହାକୁ ଆତଙ୍କୀ ହମଲା ବୋଲି କୁହାଯାଉଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମସଜିଦ ଭିତରେ ବିସ୍ଫୋରକ ଉପକରଣ ରଖାଯାଇଥିଲା। ଅଘଟଣ ଘଟାଇଥିବା ଲୋକଙ୍କୁ ଖୋଜୁଛନ୍ତି କର୍ତ୍ତୃପକ୍ଷ ଏବଂ ଘଟଣାସ୍ଥଳକୁ ଘେରାଉ କରି ତଦନ୍ତ କରାଯାଉଛି।
ବିସ୍ଫୋରଣର କିଛି ଘଣ୍ଟା ପରେ, ସିରିଆର ବୈଦେଶିକ ମନ୍ତ୍ରଣାଳୟ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଏକ ବିବୃତ୍ତି ଜାରି କରିଛି, ଏହାକୁ ମାନବିକ ଏବଂ ନୈତିକ ମୂଲ୍ୟବୋଧ ଉପରେ ଆକ୍ରମଣ ବୋଲି କହିଛି। ଦେଶରେ ସୁରକ୍ଷା ବୃଦ୍ଧି କରିବା, ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ଏବଂ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛି।
ତେବେ ସିରିଆରେ ବଡ଼ ଧରଣର ଯୁଦ୍ଧ ହ୍ରାସ ପାଇଥିଲେ ମଧ୍ୟ, ଦୀର୍ଘଦିନ ଧରି ଚାଲିଥିବା ସାମ୍ପ୍ରଦାୟିକ, ଜାତିଗତ ଏବଂ ରାଜନୈତିକ ଅସନ୍ତୋଷ ଦେଶକୁ ଅସ୍ଥିର କରୁଛି।
ଗତବର୍ଷ ରାଷ୍ଟ୍ରପତି ବଶର ଅଲ-ଆସାଦ ଦେଶ ଛାଡି ରୁଷକୁ ପଳାଇବା ପରଠାରୁ ସିରିଆ ବାରମ୍ବାର ସାମ୍ପ୍ରଦାୟିକ ହିଂସାର ସମ୍ମୁଖୀନ ହୋଇଛି। ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଅହମଦ ଅଲ-ଶାରାଙ୍କ ନେତୃତ୍ୱରେ ଇସଲାମିକ ଗୋଷ୍ଠୀ ହାୟାତ ତାହରିର ଅଲ-ଶାମ ସମେତ ବିଦ୍ରୋହୀଙ୍କ ଆକ୍ରମଣ ଆଲାୱିଟ ସମ୍ପ୍ରଦାୟକୁ ଟାର୍ଗେଟ କରିଛି।