ସ୍ୱିଜରଲ୍ୟାଣ୍ଡ, ୦୧/୦୧: ସ୍ୱିଜରଲ୍ୟାଣ୍ଡର ବିଳାସପୂର୍ଣ୍ଣ ସ୍କି ରିସର୍ଟ କ୍ରାନ୍ସ-ମୋଣ୍ଟାନାରେ ନୂଆ ବର୍ଷର ଉତ୍ସବ ଚାଲିଥିବା ବେଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଲେ କନଷ୍ଟେଲେସନ୍ ନାମକ ଏକ ଲୋକପ୍ରିୟ ବାରରେ ହଠାତ୍ ବିସ୍ଫୋରଣ ଘଟିବା ପରେ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଯାହା ଉତ୍ସବର ଆନନ୍ଦକୁ ଶୋକରେ ପରିଣତ କରିଦେଇଛି।
ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ ୧:୩୦ ସମୟରେ ଏହି ଘଟଣା ଘଟିଥିଲା। ବାର ଭିତରେ ୧୦୦ରୁ ଅଧିକ ଲୋକ ନୂଆବର୍ଷ ୨୦୨୬କୁ ସ୍ୱାଗତ କରି ନାଚଗୀତରେ ମଜି ରହିଥିବା ବେଳେ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ତୁରନ୍ତ ନିଆଁ ବ୍ୟାପିଯାଇ ବାରଟି ପାଉଁଶ ହୋଇଯାଇଥିଲା।
ଭାଲାଇସ୍ କ୍ୟାଣ୍ଟନ ପୋଲିସର ମୁଖପାତ୍ରଙ୍କ କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ମୃତ ହୋଇଥିବାର ଆଶଙ୍କା କରାଯାଉଛି ଏବଂ ୧୦୦ରୁ ଅଧିକ ଲୋକ ଅତି ଗୁରୁତର ଭାବେ ଆହତ ହୋଇଛନ୍ତି। ଅଧିକାଂଶ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ବିଭିନ୍ନ ଦେଶର ପର୍ଯ୍ୟଟକ ରହିଥିବାର ସୂଚନା ମିଳିଛି।
ଉଦ୍ଧାର କାର୍ଯ୍ୟ ପାଇଁ ୧୦ଟି ହେଲିକପ୍ଟର ଏବଂ ୪୦ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ଅଗ୍ନିଶମ ବାହିନୀ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ଏବଂ କ୍ରାନ୍ସ-ମୋଣ୍ଟାନା ଉପରେ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି।
ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। କେତେକ ଗଣମାଧ୍ୟମରେ ଏହା ଏକ କନସର୍ଟ ସମୟରେ ଆତସବାଜି ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି, କିନ୍ତୁ ପୋଲିସ ଏହାକୁ ନିଶ୍ଚିତ କରିନାହାନ୍ତି। ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ନାକଚ କରାଯାଇଛି ଏବଂ ଫୋରେନସିକ୍ ତଦନ୍ତ ଚାଲିଛି।
କ୍ରାନ୍ସ-ମୋଣ୍ଟାନା ସ୍ୱିଜରଲ୍ୟାଣ୍ଡର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଯାହା ସାରା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ଏହି ଦୁର୍ଘଟଣା ନୂଆ ବର୍ଷର ଉତ୍ସବକୁ ଗଭୀର ଶୋକରେ ପରିଣତ କରିଦେଇଛି।