ତେଜୁଛି ହିଂସା; ଗଲାଣି ୩୫ ଜୀବନ

୧୨୦୦ରୁ ଉର୍ଦ୍ଧ୍ବ ଗିରଫ, ବୈଦେଶିକ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି

ତେହେରାନ, ୦୬/୦୧: ଇରାନରେ ଚାଲିଥିବା ପ୍ରତିବାଦ ସମୟରେ ହିଂସାରେ ମୃତ୍ୟୁ ସଂଖ୍ୟା ଅତି କମରେ ୩୫ ଜଣଙ୍କର ଜୀବନ ଗଲାଣି। ଆମେରିକା ସ୍ଥିତ ମାନବାଧିକାର କର୍ମୀ ନ୍ୟୁଜ୍ ଏଜେନ୍ସି (HRANA) ଅନୁଯାୟୀ, ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ପ୍ରତିବାଦରେ ୧୨୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଦୁର୍ବଳ ଅର୍ଥନୀତି ଉଦ୍ଧାର ଓ ମୂଦ୍ରାସ୍ପିତୀ ବିରୋଧରେ ଚାଲିଥିବା ଆନ୍ଦୋଳନରେ ୨୯ ଜଣ ପ୍ରଦର୍ଶନକାରୀ, ଚାରି ଜଣ ଶିଶୁ ଏବଂ ଇରାନର ସୁରକ୍ଷା ବାହିନୀର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ଜୋରଦାର ପ୍ରତିବାଦ ଚାଲିଥିବା ବେଳେ ଇରାନ ନ ଯିବାକୁ ପରାମର୍ଶ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ଆବଶ୍ୟକତା ନଥିଲେ ଇରାନ ନ‌ଯିବାକୁ ପରାମର୍ଶ ଦେଇଛି। ଯେଉଁମାନେ ରେସିଡେନ୍ସିଆଲ ଭିସାରେ ଯେଉଁମାନେ ଇରାନରେ ରହିଛନ୍ତି, ସେମାନେ ତୁରନ୍ତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।

ଏହି ସମୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି କହିଛନ୍ତି ଯେ ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ଦଙ୍ଗାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସେ କହିଛନ୍ତି, “କର୍ତ୍ତୃପକ୍ଷମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ସହ କଥା ହେବା ଉଚିତ, କିନ୍ତୁ ଦଙ୍ଗାକାରୀଙ୍କ ସହ କଥା ହେବାର କୌଣସି ଲାଭ ନାହିଁ। ସେମାନଙ୍କୁ ସେମାନଙ୍କର ସ୍ଥାନ ଦେଖାଇବାକୁ ପଡିବ।” ଖାମେନି ଦାବି କରିଛନ୍ତି ଯେ ଇସ୍ରାଏଲ ଏବଂ ଆମେରିକା ଭଳି ବିଦେଶୀ ଶକ୍ତି ଇରାନରେ ଅଶାନ୍ତି ସୃଷ୍ଟି କରୁଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ହିଂସା ଆଚରଣ କରେ ତେବେ ଆମେରିକା ତେହେରାନକୁ ରକ୍ଷା କରିବାକୁ ପଦକ୍ଷେପ ନେବ। ଟ୍ରମ୍ପ ହସ୍ତକ୍ଷେପ କରିବେ କି ନାହିଁ ଏବଂ ଯଦି କରିବେ, ତେବେ କିପରି ତାହା ସ୍ପଷ୍ଟ ନୁହେଁ, କିନ୍ତୁ ତାଙ୍କ ମନ୍ତବ୍ୟ ଉପରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇରାନୀ ଅଧିକାରୀମାନେ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟଙ୍କୁ ଟାର୍ଗେଟ କରିବାକୁ ଧମକ ଦେଇଛନ୍ତି।