ରକ୍ତ ରଞ୍ଜିତ ଇରାନ: ବିକ୍ଷୋଭକାରୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ!
ବିକ୍ଷୋଭକାରୀ 'ଇଶ୍ୱରଙ୍କ ଶତ୍ରୁ'!
“ମୋହାରେବ” ପାଇଁ ଦଣ୍ଡ ଅତ୍ୟନ୍ତ କଠୋର
ତେହେରାନ, ୧୧/୦୧: ଦୁଇ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ମଧ୍ୟରେ ଇରାନର ପରିସ୍ଥିତି ଆହୁରି ଖରାପ ହେଉଛି। ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ସରକାର ବିରୋଧୀ ପ୍ରଦର୍ଶନ। ଏହି ବିକ୍ଷୋଭରଜ ଏପର୍ଯ୍ୟନ୍ତ ୨୧୭ ଜଣଙ୍କ ମୃତ୍ୟୁ ହେଲାଣି, ୨୬୦୦ରୁ ଅଧିକ ଗିରଫ କରାଗଲାଣି। ମୃତକଙ୍କ ସେନାର ଗୁଳିରେ ଜୀବନ ଯାଇଛି। ଦେଶର ୧୮୫ରୁ ଅଧିକ ସହରରେ ବିକ୍ଷୋଭ ଜାରି ରହିଛି।
ସେପଟେ ନିର୍ବାସିତ ପ୍ରିନ୍ସ ରେଜା ପହଲାଭି ଲୋକଙ୍କୁ ପୁଣି ଥରେ ରାସ୍ତାକୁ ଓହ୍ଲାଇ ଏକ ବିଦ୍ରୋହ କରିବାକୁ ଆହ୍ୱାନ ଦେଇଛନ୍ତି, ଏପରିକି ଇରାନକୁ ଫେରିବା ପାଇଁ ଇଙ୍ଗିତ କରିଛନ୍ତି। ଏହି ସମୟରେ, ଆୟାତୋଲ୍ଲା ଅଲି ଖାମେନେଇଙ୍କ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦର୍ଶନକାରୀ କିମ୍ବା ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛି। ଏଥି ସହ ପ୍ରଦର୍ଶନକାରୀଙ୍କୁ ପରମେଶ୍ୱରଙ୍କ ଶତ୍ରୁ ବୋଲି ଆଖ୍ୟା ଦେଇଛି।
ଇରାନରେ ବଢ଼ୁଥିବା ପ୍ରତିବାଦ ମଧ୍ୟରେ, ଆଟର୍ଣ୍ଣି ଜେନେରାଲ ମହମ୍ମଦ ମୋଭାହେଦି ଆଜାଦ ଚେତାବନୀ ଦେଇଛନ୍ତି ଯେ ପ୍ରଦର୍ଶନରେ ଅଂଶଗ୍ରହଣ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ “ଇଶ୍ୱରଙ୍କ ଶତ୍ରୁ” ବୋଲି ବିବେଚନା କରାଯିବ, ଯାହା ଇରାନ ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ ହୋଇପାରେ। ଇରାନର ସରକାରୀ ଟେଲିଭିଜନରେ ଏକ ବିବୃତ୍ତିରେ କୁହାଯାଇଛି ଯେ ଯେଉଁମାନେ “ଦଙ୍ଗାକାରୀଙ୍କୁ ସାହାଯ୍ୟ କରନ୍ତି” ସେମାନଙ୍କୁ ମଧ୍ୟ ସମାନ ଅଭିଯୋଗର ସମ୍ମୁଖୀନ ହେବାକୁ ପଡିବ।
ଆଇନ କ’ଣ କୁହେ?
ଇରାନୀ ଆଇନର ଧାରା ୧୮୬ ରେ କୁହାଯାଇଛି ଯେ ଯଦି କୌଣସି ଗୋଷ୍ଠୀ କିମ୍ବା ସଂଗଠନ ଇସଲାମିକ୍ ଗଣରାଜ୍ୟ ବିରୁଦ୍ଧରେ ସଶସ୍ତ୍ର ପ୍ରତିବାଦ କରେ, ତେବେ ଏହାର ସମସ୍ତ ସଦସ୍ୟ କିମ୍ବା ସମର୍ଥକ ଯେଉଁମାନେ ଜାଣିଶୁଣି ଏହାର ଉଦ୍ଦେଶ୍ୟକୁ ସମର୍ଥନ କରନ୍ତି ସେମାନଙ୍କୁ “ମୋହାରେବ” (ଆଲ୍ଲାଙ୍କ ଶତ୍ରୁ) ବୋଲି ବିବେଚନା କରାଯାଇପାରିବ, ଯଦିଓ ସେମାନେ ବ୍ୟକ୍ତିଗତ ଭାବରେ ସଶସ୍ତ୍ର କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି ନାହିଁ। ଆଇନର ଧାରା ୧୯୦ ରେ ନିର୍ଦ୍ଦିଷ୍ଟ “ମୋହାରେବ” ପାଇଁ ଦଣ୍ଡ ଅତ୍ୟନ୍ତ କଠୋର, ଯେଉଁଥିରେ ମୃତ୍ୟୁଦଣ୍ଡ, ଡାହାଣ ହାତ ଏବଂ ବାମ ପାଦ କାଟିବା କିମ୍ବା ସ୍ଥାୟୀ ନିର୍ବାସନ ଅନ୍ତର୍ଭୁକ୍ତ।
ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। କହିଛନ୍ତି, ଆନ୍ଦୋଳନକାରୀଙ୍କୁ ହତ୍ୟା କରାଗଲେ, ଇରାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଦେଶବାସୀଙ୍କୁ ଉଦ୍ଧାର କରିବେ ବୋଲି ଟ୍ରମ୍ପ କହିଛନ୍ତି।
ଇରାନରେ ବିକ୍ଷୋଭ କାହିଁକି ଆରମ୍ଭ ହେଲା?
ଡିସେମ୍ବର ୨୦୨୫ ଶେଷ ଭାଗରେ ଆମେରିକୀୟ ଡଲାର ତୁଳନାରେ ଇରାନୀ ରିଆଲର ମୁଦ୍ରା ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ଇରାନରେ ଇସଲାମିକ ଗଣରାଜ୍ୟ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ଭାବରେ ପ୍ରତିବାଦ ଆରମ୍ଭ ହୋଇଥିଲା। ସେବେଠାରୁ ଏହି ପ୍ରତିବାଦ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହା ସରକାର ବିରୋଧୀ ପ୍ରତିବାଦରେ ପରିଣତ ହୋଇଛି। ସାରା ଦେଶରେ ଇଣ୍ଟରନେଟ ବ୍ଲାକ୍ ଆଉଟ ହୋଇଛି। ଏହି ଆନ୍ଦୋଳନ ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କଲା ଇରାନ।
ଆନ୍ଦୋଳନରେ ଅଧିକାଂଶ ହେଉଛନ୍ତି ଯୁବପିଢି। ଇସ୍ରାଏଲ ସହିତ ସଂଘର୍ଷ, ଆନ୍ତର୍ଜାତିକ ବାସନ୍ଦ, ଦୁର୍ବଳ ଅର୍ଥ ବ୍ୟବସ୍ଥା, ବିଜୁଳି ଓ ପାଣି ଭଳି ସଙ୍କଟ ଦେଇ ଇରାନ ଗତି କରୁଥିବା ବେଳେ ଏହି ଆନ୍ଦୋଳନ ଦେଶକୁ ଆହୁରି ନିମ୍ନସ୍ତରକୁ ନେଇଯିବ।