ଇସଲାମିକ୍ ଷ୍ଟେଟ୍ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍‌

ଭୟଙ୍କର ଆକ୍ରମଣରେ ଥରିଲା ISIS ଆଡ୍ଡା

ସିରିଆ, ୧୧/୦୧: ସିରିଆରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମେରିକା ପୁଣି ଥରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ସିରିଆରେ ଏକାଧିକ ଇସଲାମିକ୍ ଷ୍ଟେଟ୍ (ISIS) ଆଡ୍ଡା ଉପରେ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଛି, ଯାହାର ଲକ୍ଷ୍ୟ ହେଉଛି ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ନେଟୱାର୍କକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା। ଏହି ଅଭିଯାନର ନାଁ ଅପରେସନ ହକ୍ଆଇ ରଖିଛି, ଯାହା ପୂର୍ବରୁ ମଧ୍ୟ କରି ସାରିଛି ଆମେରିକା।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସୂଚନା ସେୟାର କରି CENTCOM କହିଛି ଯେ ଆମେରିକା ସମୟ ପ୍ରାୟ ଦିନ ୧୨.୩୦ ରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣଗୁଡ଼ିକ ସିରିଆର ବିଭିନ୍ନ ଅଞ୍ଚଳରେ ISIS ସ୍ଥିତିକୁ ଟାର୍ଗେଟ କରିଥିଲା।

ଆମେରିକୀୟ ସୈନ୍ୟ ଏବଂ ସହଯୋଗୀ ବାହିନୀ ମିଳିତ ଭାବେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ୨୦୨୫ ଡିସେମ୍ବର ୧୯ ରେ ଅପରେସନ୍ ହକ୍ଆଇ ଷ୍ଟ୍ରାଇକ୍ ଆରମ୍ଭ କରାଯାଇଥିଲା।

୨୦୨୫ ଡିସେମ୍ବର ୧୩ ରେ ସିରିଆର ପାଲମିରାରେ ISIS ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯେଉଁଥିରେ ଦୁଇ ଆମେରିକୀୟ ସୈନିକ ଏବଂ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଉଭୟ ସୈନିକ ୨୦୨୫ ପ୍ରାରମ୍ଭରେ ମଧ୍ୟପ୍ରାଚ୍ୟରେ ନିୟୋଜିତ ହୋଇଥିବା ଏକ ଆମେରିକୀୟ ସାମରିକ ଦଳରେ ସାମିଲ ଥିଲେ।

ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ଏହି ସାମରିକ ଅପରେସନ ସମୟରେ ୯୦ ରୁ ଅଧିକ ସଠିକ୍ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇଥିଲା, ଯାହା ୩୫ ରୁ ଅଧିକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଦୁଇ ଡଜନରୁ ଅଧିକ ବିମାନ ବ୍ୟବହାର କରାଯାଇଥିଲା।