ହାଇଦ୍ରାବାଦ, ୨୪/୦୧: ପ୍ରଥମେ ୫୦୦, ତାପରେ ୧୦୦, ଏବଂ ଏବେ ୩୦୦ କୁକୁରଙ୍କୁ ସାମୂହିକ ଭାବରେ ହତ୍ୟା କରାଯାଇଛି। ମୋଟ ଗୋଟିଏ ମାସରେ ପ୍ରାୟ ୯୦୦ କୁକୁରଙ୍କ ମୃତ୍ୟୁ ହୋଇଛି। କିଛି ବିଷ ଦ୍ୱାରା, କିଛି ଇଞ୍ଜେକ୍ସନ ଦ୍ୱାରା, ଏବଂ କିଛି ଗାତରେ ପୋତି ଦେଇ କୁକୁର ମାନଙ୍କୁ ହତ୍ୟା କରାଯାଉଛି। ଏଭଳି କୁକୁରମାନଙ୍କ ପ୍ରତି ବର୍ବରୋଚିତ କାଣ୍ଡ ଘଟିଛି ତେଲେଙ୍ଗାନାରେ।
ତେଲେଙ୍ଗାନାର ଜଗତିଆଲ ଜିଲ୍ଲାର ପେଗାଡାପାଲି ଗାଁର ଏକ ଗାତରୁ ପ୍ରାୟ ୩୦୦ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବରୁ, ରାଜ୍ୟର କାମାରେଡ୍ଡି, ହନୁମାକୋଣ୍ଡା ଏବଂ ରଙ୍ଗା ରେଡ୍ଡି ଜିଲ୍ଲାରେ ଶହ ଶହ ବୁଲା କୁକୁରଙ୍କ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା। ପୋଲିସର ସୂଚନା ଅନୁଯାୟୀ, ଏହି ସମସ୍ତ ଘଟଣାକୁ ମିଶାଇ ମାତ୍ର ଗୋଟିଏ ମାସରେ ମୃତ କୁକୁରଙ୍କ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି।
ପ୍ରାଣୀ ଅଧିକାର କର୍ମୀ ପ୍ରୀତି ମୁଦାବଥଙ୍କ ଅନୁଯାୟୀ, ଗାଁ ଲୋକେ ରିପୋର୍ଟ କରିଛନ୍ତି ଯେ ଦୁଇଜଣ ମହିଳା କୁକୁରମାନଙ୍କୁ ମାରାତ୍ମକ ଇଞ୍ଜେକ୍ସନ ଦେଇଥିଲେ, ତା’ପରେ ମୃତଦେହଗୁଡ଼ିକୁ ଏକ ଗାତରେ ପୋତି ଦେଇଥିଲେ। ଅଭିଯୋଗ ହୋଇଛି ଯେ ଏହା ଗାଁର ସରପଞ୍ଚଙ୍କ ନିର୍ଦ୍ଦେଶରେ ଏପରି ହୋଇଥିଲା। ନିର୍ବାଚନ ଜିତିବା ପରେ ବୁଲା କୁକୁରମାନଙ୍କୁ ନିପାତ କରିବାର ପ୍ରତିଶ୍ରୁତି ପୂରଣ କରିବା ଆଳରେ ଏହି ଅମାନବୀୟ କାର୍ଯ୍ୟ କରାଯାଇଥିଲା।
ପ୍ରୀତି ମୁଦାବତଙ୍କ ଅଭିଯୋଗ ଆଧାରରେ, ପୋଲିସ ଗ୍ରାମର ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଚିବଙ୍କ ସମେତ ଅନେକ ଲୋକଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଛି।