ନ୍ୟୁୟର୍କକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ

ହେଲ୍ପଲାଇନ ନମ୍ୱର ଜାରି

ନୂଆଦିଲ୍ଲୀ, ୨୪/୦୧: ରବିବାର ସକାଳୁ ସୋମବାର ପର୍ଯ୍ୟନ୍ତ ଆମେରିକାର ପୂର୍ବତଟ ସହିତ ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ତୁଷାରପାତ ଜାରି ର‌ହିଥିବାରୁ ଜାନୁଆରୀ ୨୫ ଏବଂ ୨୬ ତାରିଖରେ ନ୍ୟୁୟର୍କକୁ ଯାଉଥିବା ଏବଂ ନ୍ୟୁୟର୍କରୁ ଆସୁଥିବା ସମସ୍ତ ଏୟାର ଇଣ୍ଡିଆର ବିମାନ ଚଳାଚଳ ବାତିଲ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ ଏହି ଭୟଙ୍କର ଝଡ଼ ବିମାନ ଚଳାଚଳ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ, ତେଣୁ ପୂର୍ବ ତଟରେ ପ୍ରବଳ ଶୀତକାଳୀନ ଝଡ଼ ଆସିବାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏକ ଯାତ୍ରା ସତର୍କତା ଜାରି କରିଛି।

ଏଥି ସହ ବିମାନ କମ୍ପାନୀ ଏହି ତାରିଖରେ ଏୟାର ଇଣ୍ଡିଆ ବିମାନରେ ବୁକ୍ କରାଯାଇଥିବା ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ୱର ଜାରି କରିଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇଁ, ଦୟାକରି +91 1169329333 ଏବଂ +91 1169329999 ରେ ୨୪ ଘଣ୍ଟିଆ କଲ୍ ସେଣ୍ଟର ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛି ଏୟାର ଇଣ୍ଡିଆ।

ପ୍ରବଳ ତୁଷାରପାତ ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମଗ୍ର ଦେଶକୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ଦେଶରେ ସତର୍କତା ଜାରି କରାଯାଇଛି। ଦେଶର ୪୦ ରୁ ଅଧିକ ରାଜ୍ୟରେ ଥଣ୍ଡା ଅନୁଭୂତ ହୋଇପାରେ। ଆମେରିକାର ଅନେକ ରାଜ୍ୟରେ ପ୍ରବଳ ତୁଷାରପାତ ଏବଂ କୁଆପଥର ବର୍ଷା ଆରମ୍ଭ ହୋଇଛି। ତେଣୁ ଆମେରିକାରେ ପ୍ରାୟ ୮୦୦୦ରୁ ଅଧିକ ବିମାନ ଉଡାଣ ପ୍ରଭାବିତ ହୋଇଛି।