ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଡ଼ାକରା

ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ

ଭୁବନେଶ୍ୱର, ୨୭/୦୧: ଆଜି ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ (୫ ଦିନିଆ କାର୍ଯ୍ୟ) ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ଡ଼ାକରା କରିଛନ୍ତି। ଯୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଅଧୀନରେ ନଅଟି କର୍ମଚାରୀ ଓ ଅଫିସର ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ପ୍ରାୟ ୮ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ଅଫିସର ଏଥିରେ ଯୋଗ ଦେଇଛନ୍ତି। ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଯାହା ଫଳରେ ରାଜ୍ୟର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିଛି ଏବଂ କିଛି ଘରୋଇ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆନ୍ଦୋଳନକାରୀମାନେ ପିକେଟିଂ କରି କେତେକ ଘରୋଇ ଓ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଶାଖାକୁ ବନ୍ଦ କରିଛନ୍ତି। ଫଳରେ ଶାଖା ସ୍ତରରେ ବ୍ୟାଙ୍କ ସେବା ଗୁରୁତର ଭାବେ ବ୍ୟାହତ ହୋଇଛି।

ରାଜ୍ୟର ୩୦ଟି ଜିଲ୍ଲାରେ ଧର୍ମଘଟର ପ୍ରଭାବ ଦେଖାଯାଇଛି। ବ୍ୟାଙ୍କ ଶାଖାଗୁଡ଼ିକ ସାମ୍ନାରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ୟୁଏଫ୍ବିୟୁ ଓଡ଼ିଶା ଶାଖାର ଆବାହକ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି ଯେ, ଆଜିର ଧର୍ମଘଟ ଯୋଗୁଁ ରାଜ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି। ଚେକ୍ କ୍ଲିୟରିଂ, ନଗଦ ଜମା-ଉଠାଣ ଓ ଅନ୍ୟାନ୍ୟ ଶାଖା ସେବା ବନ୍ଦ ରହିଛି। ଏହି ଧର୍ମଘଟରେ ୟୁଏଫ୍ବିୟୁ ଅଧୀନରେ ପାଞ୍ଚଟି ସଂଘ ସକ୍ରିୟ ଭାବେ ଭାଗ ନେଇଛନ୍ତି, ଯେଉଁଥିରେ ଏଆଇବିଓସି, ଏଆଇବିଓଏ (ଅଫିସର ସଂଘ) ଏବଂ ଏଆଇବିଇଏ, ଏନ୍ସିବିଇ, ବେଫି (କର୍ମଚାରୀ ସଂଘ) ସାମିଲ ଅଛନ୍ତି। ରାଜ୍ୟରେ ୩୫୦୦ରୁ ଅଧିକ ବ୍ୟାଙ୍କ ଶାଖା ରହିଥିବା ବେଳେ ପ୍ରାୟ ୧୭୦୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଶାଖାଗୁଡ଼ିକ ବନ୍ଦ ଥିବା ସତ୍ତ୍ୱେ ଡିଜିଟାଲ ବ୍ୟାଙ୍କିଂ ସେବାଗୁଡ଼ିକ ସ୍ୱାଭାବିକ ରହିଛି। ଏଟିଏମ୍ ଟଙ୍କା ଉଠାଣ, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ଯୁପିଆଇ କାରବାର, ହ୍ୱାଟସ୍ଆପ୍ ବ୍ୟାଙ୍କିଂ ଆଦି ସମସ୍ତ ସେବା ଅବ୍ୟାହତ ରହିଛି।

ଶ୍ରୀ ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟଚାପରେ ରହିଛନ୍ତି। ଅନେକ ରାତି ୮-୯ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସରକାର ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି। ଆର୍ଥିକ କ୍ଷେତ୍ରର ଅନ୍ୟ ସଂସ୍ଥାଗୁଡ଼ିକରେ (ଆର୍ବିଆଇ, ଏଲଆଇସି, ନାବାର୍ଡ, ସିଡବ୍ଲ୍ୟୁସି ଆଦି) କର୍ମଚାରୀମାନେ ସପ୍ତାହକୁ ୫ ଦିନ କାମ କରୁଛନ୍ତି। କେବଳ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ସୁବିଧା ଦିଆଯାଉ ନାହିଁ। ୨୦୧୫ ଠାରୁ ଏହି ଦାବି ଉପସ୍ଥାପନ କରାଯାଇଛି ଏବଂ ଦୀର୍ଘ ୧୦ ବର୍ଷ ଧରି ଅପେକ୍ଷା କରାଯାଇଛି। ସରକାର ଏପର୍ଯ୍ୟନ୍ତ ଗ୍ରହଣ କରିନଥିବାରୁ ଏହି ଏକଦିନିଆ ଧର୍ମଘଟ କରାଯାଇଛି। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ କରାଯିବ ବୋଲି ସେ ସତର୍କ କରିଛନ୍ତି।