ଆସନ୍ତା କାଲି ଓଡ଼ିଶା ବନ୍ଦ

ସମର୍ଥନ ଜଣାଇଲା ବିଜେଡ଼ି, କଂଗ୍ରେସ

ଭୁବନେଶ୍ୱର, ୨୭/୦୧: ରାଜ୍ୟରେ ଧାନକିଣାରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ୨୮ତାରିଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ଜରୁରୀ ସେବା ଗୁଡ଼ିକ ଖୋଲା ରହିବ ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ।

ନବନିର୍ମାଣ କୃଷକ ସଂଗଠନର ଏହି ଓଡ଼ିଶା ବନ୍ଦ ଡାକରାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବା ସହ ରାଜ୍ୟ ସଭାପତି ସମସ୍ତ ଜିଲ୍ଲା ସଭାପତିଙ୍କୁ ବନ୍ଦ ଘୋଷଣାକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡକୁ ବିରୋଧ କରି ଏହି ବନ୍ଦ ଡ଼ାକରାକୁ ସମର୍ଥନ କରିଛି କଂଗ୍ରେସ।

ସେପଟେ ଆନ୍ଦୋଳନକୁ ସମର୍ଥନ କରିଛି ବିଜେଡ଼ି। ଏହା ଭଲ ପଦକ୍ଷେପ, ସାଧୁବାଦ ଜଣାଉଛୁ ବୋଲି କହିଛନ୍ତି ମୁଖପାତ୍ର ଲେନିନ୍ ମହାନ୍ତି। ଚାଷୀ ସମସ୍ୟା, PUCC, ସ୍ମାର୍ଟ ସିଟି ପ୍ରସଙ୍ଗରେ ଆମର ୨ରୁ ଆନ୍ଦୋଳନ ହେବାକୁ ଯାଉଛି। ନବ ନିର୍ମାଣ କୃଷକ ସଂଗଠନକୁ ଅଲ୍‌ ଦି ବେଷ୍ଟ, ସେ ତାଙ୍କ କାର୍ଯ୍ୟକ୍ରମ ଆଗକୁ ବଢାନ୍ତୁ ବୋଲି ଲେନିନ କହିଛନ୍ତି।

ତେବେ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ବିଜେପି ତାଚ୍ଛଲ୍ୟ କରିଛି। ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣି ନାହାନ୍ତି। ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ। ବିଜେଡି ସମୟରେ ଚାଷୀ ହତାଶ, ଦଲାଲ ମାଲେମାଲ ହେଉଥିଲେ। ମୋହନ ସରକାରରେ ଚାଷୀ ଉତ୍ସାହିତ, ଅଧିକ ୮୦୦ ଟଙ୍କା ପାଉଛି। କଂଗ୍ରେସର ସ୍ଥିତି ନଥିବାରୁ ସେମାନଙ୍କ ପଛରେ ଲାଉ ହେଉଛି। ଏହି ବନ୍ଦ୍‌ର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ମନୋଜ ମହାପାତ୍ର।