ଭୁବନେଶ୍ୱର, ୨୭/୦୧: ଭୁବନେଶ୍ବରରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ବିସ୍ଫୋରଣରେ ୫ ଗୁରୁତର ହୋଇଛନ୍ତି। ବେଆଇନ ବୋମା ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲା।
ଏହି ଘଟଣା ପରେ ଫିଲ୍ଡ ଭିଜିଟ୍ କରିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ଏହା ପରେ ପ୍ରତିକ୍ରିୟା ଦେଇ ଡିସିପି କହିଛନ୍ତି, ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥାଇ ପାରେ। ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି। ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି। ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି। ଏହି ଘଟଣାରେ ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡ଼ାରେ ରହି ଏହା ଚଳାଇଥିଲେ ତାହା ଅସ୍ପଷ୍ଟ ରହିଛି। ତଦନ୍ତ ହେଲେ ଆଗକୁ ଜଣାପଡ଼ିବ।