ପୁରୀ, ୨୭/୦୧: ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ, ଏସ୍ପି, ଛତିଶା ନିଯୋଗ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ପୁରୀ ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି।
ଆସନ୍ତା ୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁଆରୀ ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପିଣ୍ଡଦାନ କରିବେ। ପିଣ୍ଡ ଦାନ ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ। ସିଂହଦ୍ୱାର ଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ବାଗତ କରିବେ। ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ସେଦିନ ସକାଳ ୪ଟା ସୁଦ୍ଧା ଜୟ ବିଜୟ ଦ୍ୱାର ଫିଟା ନୀତି କରାଯିବ। ସୁରକ୍ଷା ଦୃଷ୍ଟି କୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯିବ। କୌଣସି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ସକାଳ ୮ଟା ୨୦ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରିବେ।