ମୁମ୍ବାଇ, ୨୮/୦୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କୁ ନେଇ ଯାଉଥିବା ବିମାନ ମହାରାଷ୍ଟ୍ରର ବାରାମତୀ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ସେ ବାରାମତୀରେ ଏକ ରାଲି କରିବାର କାର୍ଯ୍ୟକ୍ରମ ଥିଲା। ତେଣୁ ଆଜି ସକାଳେ ମୁମ୍ବାଇରୁ ବାରାମତୀ ଅଭିମୁଖେ ଯାତ୍ରା କରିଥିଲେ। ହେଲେ ଉଡାଣ ପରିବାର ଠିକ୍ ଘଣ୍ଟାଏ ପରେ ୮ଟା ୪୫ରେ ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଅଜିତ ପାୱାରଙ୍କ ରାଜନୈତିକ କ୍ୟାରିଅର:-
ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ରାଜନୀତିରେ ଜଣେ ଅଭିଜ୍ଞ ନେତା ଭାବରେ ବିବେଚନା କରାଯାଉଥିଲା। ଜଣେ ଗମ୍ଭୀର ନେତା ଭାବରେ ତାଙ୍କର ଖ୍ୟାତି ଥିଲା। ସେ ତାଙ୍କ କାକା ଶରଦ ପାୱାରଙ୍କୁ ଦେଖି ରାଜନୀତିରେ ପାଦ ରଖିଥିଲେ। ଶରତ ପାୱାରଙ୍କୁ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ବୋଲି କୁହାଯାଏ। ତେବେ ୨୦୨୨ ମସିହାରେ ସେ ତାଙ୍କ କାକା ଶରଦ ପାୱାରଙ୍କ ହାତ ଛାଡି ବିଜେପି ସହିତ ହାତ ମିଳାଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ।
ଅଜିତ ପାୱାରଙ୍କ ପିତା ଅନନ୍ତରାଓ ପାୱାର ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ଥିଲେ। ସେ ଭି. ଶାନ୍ତାରାମଙ୍କ ରାଜକମଲ ଷ୍ଟୁଡିଓରେ କାମ କରୁଥିଲେ। ତଥାପି, ଅଜିତ ପାୱାର ରାଜନୀତି ପ୍ରତି ଆଗ୍ରହୀ ଥିଲେ, ତେଣୁ ସେ ତୃଣମୂଳ ସ୍ତରରେ ବ୍ୟାପକ ଭାବରେ କାମ କରିଥିଲେ। ଏନସିପିର ସମର୍ଥନ ଭିତ୍ତିଭୂମି ବିସ୍ତାର କରିବାରେ ଅଜିତ ପାୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଅଜିତ ପାୱାର। ସେ ସର୍ବାଧିକ ୬ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ୨୦୧୯ରେ ଦୁଇ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୧୯ରେ ଫଡଣବିଶ ଓ ଉଦ୍ଧବ ଠାକରେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୯୫ରୁ ଲଗାତାର ୨୦୨୪ ବାରାମତୀରୁ ବିଧାୟକ ନିର୍ବାଚିତ ହୋଇଥିଲେ।
ଅଜିତ ପାୱାରଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସୁନେତ୍ର ପାୱାର ଏବଂ ଦୁଇ ସନ୍ତାନ ପାର୍ଥ ପାୱାର ଏବଂ ଜୟ ପାୱାର ଅଛନ୍ତି। ତାଙ୍କ ସ୍ତ୍ରୀ ସୁନେତ୍ର ପାୱାର ରାଜ୍ୟସଭା ସାଂସଦ ଅଛନ୍ତି। ଭଉଣୀ ସୁପ୍ରିୟା ସୁଲେ ମଧ୍ୟ ସାଂସଦ ରହିଛନ୍ତି।