ଆଇଆଇଏମସିରେ ଓଆଇଏସ ତାଲିମର ଶୁଭାରମ୍ଭ

ଏଆଇ ଯୁଗରେ ଜରୁରୀ ହୋଇଛି ମିଥ୍ୟା ଖବରର ଯାଞ୍ଚ

‘ଲୋକ ସମ୍ପର୍କ ଅଧିକାରୀ, ଜନତା ଓ ସରକାରଙ୍କ ମଧ୍ୟରେ ସେତୁ’

ଢ଼େଙ୍କାନାଳ, ୨୮|୦୧: ଓଡ଼ିଶା ଇନଫରମେସନ ସର୍ଭିସ (ଗ୍ରୁପ-ବି) ଜରିଆରେ ନବ ନିଯୁକ୍ତ ସବ୍ ଡିଭିଜଲାଲ ଇନଫରମେସନ ଆଣ୍ଡ ପବ୍ଲିକ ରିଲେସନ ଅଫିସର (ଏସଡିଆଇପିଆରଓ)ଙ୍କ ନିମନ୍ତେ ତାଲିମ୍ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଢ଼େଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ ଠାରେ ଆୟୋଜିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ବୁଧବାର ସକାଳେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହ ଅଧିକାରୀ/ ଅଧିକାରିଣୀଙ୍କୁ ସ୍ୱାଗତ କରାଯାଇଛି | ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମସିର କୁଳପତି ଡ. ପ୍ରଜ୍ଞା ପାଲିୱାଲ ଗୌର ଆଭାସୀ ଜରିଆରେ ସମ୍ବୋଧନ କରିବା ସହ ନୂତନ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ | ଲୋକ ସମ୍ପର୍କ ଅଧିକାରୀମାନେ ହେଉଛନ୍ତି ଜନତା ଓ ସରକାରଙ୍କ ମଧ୍ୟରେ ସେତୁ | ଏଣୁ ଲୋକ, ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା କ୍ଷେତ୍ରରେ ଲୋକ ସମ୍ପର୍କ ଅଧିକାରୀଙ୍କର ପ୍ରମୁଖ ଭୂମିକା ରହିଥିବା କହିଥିଲେ | ଏଥିସହ ବର୍ତ୍ତମାନର ଡିଜିଟାଲ ଓ କୃତ୍ତିମ ବୁଦ୍ଧିମତ୍ତା ଯୁଗରେ ମିଥ୍ୟା ଖବରର ଯାଞ୍ଚ ତଥା ପ୍ରତିହତ କରିବାର କଳା ଜାଣିବା ଜରୁରୀ ବୋଲି ସଭିଙ୍କୁ ପରାମର୍ଶ ଦେଇଥିଲେ |

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିବା ସହ ପ୍ରଶିକ୍ଷାର୍ଥୀ ପଦାଧିକାରୀଙ୍କୁ ମାର୍ଗଦର୍ଶନ କରିଥିଲେ | ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ସରକାରଙ୍କୁ ପ୍ରଶ୍ନ କରୁଥିବା ବେଳେ ବର୍ତ୍ତମାନ ନିଜେ ଜନତାଙ୍କ ଠାରେ ଉତ୍ତରଦାୟୀ ରହିବେ | ଏଣୁ ବିଭିନ୍ନ ବିଭାଗ ତଥା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନାକୁ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ | ତେବେ ବିଭିନ୍ନ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଆଇଆଇଏମସି ପକ୍ଷରୁ ଅଧିକରୁ ଅଧିକ ବ୍ୟବହାରଗତ ଜ୍ଞାନ ଉପରେ ତାଲିମ୍ ଦିଆଯିବାକୁ ଥିବା ସେ ସୂଚନା ଦେଇଥିଲେ | ଅନୁରୂପ, ପ୍ରତିଷ୍ଠାନର ପ୍ରଫେସର ମୃଣାଳ ଚାଟାର୍ଜୀ ନିରପେକ୍ଷ ଭାବେ ସୂଚନାର ପ୍ରସାର ନିମନ୍ତେ ପରାମର୍ଶ ଦେଇଥିଲେ | ବିଭିନ୍ନ ସମୟରେ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ବଦଳି ହେଉଥିବା ବେଳେ ଜନତାଙ୍କ ସ୍ୱାର୍ଥକୁ ସରକାରଙ୍କ ପାଖରେ ପହଞ୍ଚାଇବା ଭଳି ବଡ଼ ଆହ୍ୱାନଙ୍କୁ ଗ୍ରହଣ କରିବା ଶ୍ରେୟସ୍କର ବୋଲି ସେ ପ୍ରକାଶ କରିଥିଲେ |

ଏହି ସ୍ୱାଗତ କାର୍ଯ୍ୟକ୍ରମ ଅବସରରେ ଅଧିକାରୀ/ ଅଧିକାରିଣୀମାନେ ନିଜ ନିଜର ପରିଚୟ ଓ ଅନୁଭୂତି ପ୍ରଦାନ କରିଥିଲେ | ପରେ ପ୍ରଶ୍ନୋତ୍ତର ଓ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଅଧ୍ୟାପିକା ଡ. ଚିରସ୍ରୋତା ଜେନା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ଆଭା ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଅଧ୍ୟାପକ ଡ. ବିରଞ୍ଚି ନାରାୟଣ ସେଠ ଧନ୍ୟବାଦ ଦେଇଥିବା ବେଳେ ହରେକୃଷ୍ଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ପ୍ରକାଶ ଥାଉକି, ଏହି କାର୍ଯ୍ୟକ୍ରମ ୨୮ ଜାନୁଆରୀରୁ ୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ |