ସଦଗୁରୁ କଲେଜ ଅଫ୍ ନର୍ସିଂ ଏବଂ ଏଲାଇଡ୍ ମେଡିକାଲ୍ ସାଇନ୍ସ’ର ପ୍ରଥମ ବାର୍ଷିକ ଉତ୍ସବ
“ନର୍ସ ହେବା ପୂର୍ବରୁ ଜଣେ ଭଲ ମଣିଷ ହୁଅ”
ଛାତ୍ରଛାତ୍ରୀଙ୍କୁ ମୂଲ୍ୟବୋଧ ଓ ମାନବିକତାର ପାଠ ପଢ଼଼ାଇଲେ ଅତିଥି
କଟକ, ୨୮/୦୧: : ‘ସଦଗୁରୁ କଲେଜ ଅଫ୍ ନର୍ସିଂ ଏବଂ ଏଲାଇଡ୍ ମେଡିକାଲ୍ ସାଇନ୍ସ’ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଯୋଗଦେଇ କହିଥିଲେ ଯେ, ଆଜିର ଦିନ କେବଳ ସଫଳତାର ଉତ୍ସବ ନୁହେଁ, ବରଂ ଏହା ହେଉଛି ସେବା ପାଇଁ ଏହା ଏକ ପ୍ରେରଣା। ବିଶିଷ୍ଟ ଅତିଥି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ସୂତ୍ର ବାଣ୍ଟିବା ସହ ଜୀବନରେ ନୈତିକତା ଓ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତେବେ ଏହି ନର୍ସିଂ କଲେଜ ଆଗାମୀ ଦିନରେ ଏକ ପ୍ରତିଷ୍ଠିତ ମେଡିକାଲ କଲେଜର ରୂପ ନେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସଦଗୁରୁ କଲେଜର ମ୍ୟାନେଜିଂ ଟ୍ରଷ୍ଟି ନନ୍ଦିତା ପଣ୍ଡା କହିଥିଲେ ଯେ, ନର୍ସିଂ ଏକ ଅତ୍ୟନ୍ତ ସମ୍ମାନନୀୟ ପେଶା। ଡାକ୍ତର ରୋଗ ଚିହ୍ନଟ କରିପାରନ୍ତି ଏବଂ ମେସିନ୍ ରୋଗୀଙ୍କୁ ନିରୀକ୍ଷଣ କରିପାରେ, କିନ୍ତୁ କେବଳ ଜଣେ ନର୍ସ ହିଁ ସ୍ନେହ, ମମତା ଓ ସହାନୁଭୂତି ସହିତ ରୋଗୀର ଚିକିତ୍ସା କରେ। ଦକ୍ଷତା ଚାକିରି ଦେଇପାରେ, କିନ୍ତୁ ଚରିତ୍ର ସମ୍ମାନ ଦିଏ। ଲୋକେ ହୁଏତ ପରୀକ୍ଷାର କେତେ ନମ୍ବର ରଖିଲ ତାକୁ ଭୁଲିଯାଇପାରନ୍ତି, କିନ୍ତୁ ତମେ ମାନେ ଯେଉଁ ସେବା ଓ ବ୍ୟବହାର ସେମାନଙ୍କୁ ପ୍ରଦାନ କରିଥିବ ତାହା ସେମାନେ କେବେ ଭୁଲିବେ ନାହିଁ। ତେଣୁ କର୍ତ୍ତବ୍ୟକୁ ଦାୟିତ୍ୱବୋଧତାରେ ପରିଣତ କରିବାକୁ ସେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏତଦବ୍ୟତୀତ ଜଣେ ଭଲ ପେଶାଦାର ହେବା ପୂର୍ବରୁ ପ୍ରଥମେ ଜଣେ ଭଲ ମଣିଷ ହେବା ଆବଶ୍ୟକ। ମିଠା କଥା, ଧୈର୍ଯ୍ୟ ଏବଂ ସେବା ହିଁ ଜଣେ ନର୍ସଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ପରିଚୟ ଦେଇଥାଏ ବୋଲି ସେ କହିଥିଲେ। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡା. ପ୍ରଦୀପ କୁମାର ମହାନ୍ତି ଅଧ୍ୟକ୍ଷତା କରି ନିଷ୍ଠାବାନ ଶିକ୍ଷକମଣ୍ଡଳୀଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ସମିତା ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କଲେଜ ଦୁଇ ବର୍ଷ ମଧ୍ୟରେ ପାଇଥିବା ସଫଳତା ସମସ୍ତଙ୍କ ମିଳିତ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଥିଲେ।
ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଗୋବିନ୍ଦ ଚରଣ ଦାଶ, ସମ୍ମାନୀତ ଅତିଥି ବରିଷ୍ଟ ଆଇନଜୀବୀ ତଥା ସମାଜସେବୀ ବିଷ୍ଣୁ ପଟ୍ଟନାୟକ, ଅନ୍ୟତମ ଅତିଥି ବିଶିଷ୍ଟ ଲେଖକ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ ଜୀବନରେ ସେବାକୁ ପରମ କର୍ତ୍ତବ୍ୟ ରୂପେ ଗ୍ରହଣ କରିବାକୁ ଉପସ୍ଥିତ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସଦଗୁରୁ କଲେଜର ପ୍ରିନ୍ସିପାଲ ଲାଡଲି ଦାସ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଏଲାଇଡ୍ ମେଡିକାଲ୍ ସାଇନ୍ସର ଏଚଓଡି ଡ. ପ୍ରୀତିମୟୀ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ନର୍ସିଂ କଲେଜରୁ କୃତୀତ୍ୱ ହାସଲ କରିଥିବା ସଫଳ ଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ସହ ଉତ୍ତରୀୟ ପ୍ରଦାନ କରି ଅତିଥିମାନେ ସମ୍ମାନୀତ କରିଥିଲେ। ଚର୍ଚ୍ଚିତ ୟୁଟ୍ୟୁବର କ୍ରୀଷ୍ଣା ଓ ରାଧେଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ଚନ୍ଦ୍ରଭାନୁ ଭୂୟାଁ ଧନ୍ୟବାଦ ଦେଇଥିଲେ।