ତାରିକ ରହମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ସୁଧୁରିବ କି ଭାରତ-ବାଂଲା ସମ୍ପର୍କ?

ନୂଆଦିଲ୍ଲୀ, ୧୩/୦୨: ବାଂଲାଦେଶରେ ଐତିହାସିକ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର(BNP)କୁ ମିଳିଛି ବହୁମତ। ମଧ୍ୟାହ୍ଣ ସୁଦ୍ଧା ରେଜଲ୍ଟ ନିଶ୍ଚିତ ହେବ। ମୁଖ୍ୟ ପ୍ରତିନ୍ଦ୍ୱନ୍ଦ୍ୱୀ ଜମାତ-ଇ-ଇସଲାମିଙ୍କଠୁ ଅଧିକ ଭୋଟ୍‌ ହାତେଇଛନ୍ତି ତାରିକ ରହମାନ। ଦୀର୍ଘ ୨୦ ବର୍ଷ ଧରି ନିର୍ବାସନ ରହିବା ପରେ ବାଂଲାଦେଶ ଫେରିଥିଲେ। ପରେ ନିର୍ବାଚନରେ ଦୁଇ ଦୁଇଟି ଆସନରୁ ବାଜିମାତ୍ କରିଛନ୍ତି ରହମାନ।‌ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି। ୨୦୦ରୁ ଊର୍ଦ୍ଧ୍ବ ଆସନରେ ଆଗୁଆ ରହିଛି BNP।

ବାଂଲାଦେଶ ନିର୍ବାଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନଙ୍କୁ ଦଳର ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି: “ଏହି ବିଜୟ ଆପଣଙ୍କ ନେତୃତ୍ୱ ପ୍ରତି ଜନତାଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି। ବାଂଲାଦେଶର ସମର୍ଥନରେ ସର୍ବଦା ଠିଆ ରହିବ ଭାରତ। ମିଳିତ ଭାବେ କାମ କରିବାକୁ ମୁଁ ଉତ୍ସୁକ ଅଛି।”

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି ଯେ ଭାରତ ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ଅନ୍ତର୍ଭୁକ୍ତ ବାଂଲାଦେଶର ସମର୍ଥନରେ ଠିଆ ହେବ। ଆମର ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆମର ସହଭାଗୀ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପୋଷ୍ଟ ପରେ, ଭାରତ-ବାଂଲାଦେଶ ସମ୍ପର୍କରେ ଉନ୍ନତି ହେବାର ଆଶା କରାଯାଉଛି।

ଶେଖ୍ ହାସିନାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଭାରତ-ବାଂଲାଦେଶ ସମ୍ପର୍କ ସବୁଠାରୁ ମଜବୁତ ଥିଲା। ତଥାପି, ଜୁଲାଇ-ଅଗଷ୍ଟରେ ଏକ ଛାତ୍ର ଆନ୍ଦୋଳନ ୫ ଅଗଷ୍ଟ ୨୦୨୪ରେ ଶେଖ୍ ହାସିନାଙ୍କୁ କ୍ଷମତାରୁ ବହିଷ୍କାର କରିଥିଲା, ଯାହା ତାଙ୍କୁ ଭାରତରେ ଆଶ୍ରୟ ନେବାକୁ ବାଧ୍ୟ କରିଥିଲା। ପରବର୍ତ୍ତୀ ସମୟରେ, ଭାରତ ବିରୋଧୀ ଜମାତ-ଏ-ଇସଲାମି (JII) ଦେଶରେ ମୌଳବାଦ ଏବଂ ଉଗ୍ରବାଦକୁ ପ୍ରୋତ୍ସାହିତ କରିଥିଲା। ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ମଧ୍ୟ ଜମାତର କାର୍ଯ୍ୟକୁ ସମର୍ଥନ କରିଥିଲା।

ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କୁ ନିରନ୍ତର ହତ୍ୟା କରାଯାଉଛି। ହିନ୍ଦୁମାନଙ୍କ ଘରକୁ ପୋଡ଼ି ଦିଆଯାଉଛି। ଏହି ସମୟ ମଧ୍ୟରେ, ଭାରତ-ବାଂଲାଦେଶ ସମ୍ପର୍କ ପ୍ରାୟତଃ ଭାଙ୍ଗି ପଡ଼ିଛି। ଏବେ, ୨୦ ବର୍ଷ ପରେ BNP କ୍ଷମତାକୁ ଫେରିବା ସହିତ, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉଲ୍ଲେଖନୀୟ ଉନ୍ନତି ହେବାର ଆଶା କରାଯାଉଛି।