ଜମିପଟ୍ଟା ସମ୍ବନ୍ଧୀୟ ସମସ୍ତ ସଂଶୋଧନ କାର୍ଯ୍ୟ ମିଶନ୍ ମୋଡରେ ସାରିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ଜମିର ଖତିଆନରେ କଲମ୍ ୨ ବା ୨ ଖାନା ସଂଶୋଧନ ମାମଲାର ଶୀଘ୍ର ପ୍ରକ୍ରିୟାକରଣ ପାଇଁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ

ସଂଶୋଧନ କାର୍ଯ୍ୟରେ ବିଳମ୍ବ ହେଲେ ତହସିଲଦାରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୪/୦୨: ଓଡିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଜମିପଟ୍ଟା ବା ରେକର୍ଡ ଅଫ ରାଇଟ୍ସ (RoR)ର ୨ ଖାନା (Colum-2) ସଂଶୋଧନ ସମ୍ବନ୍ଧୀୟ ଅପେକ୍ଷିତ ମାମଲାଗୁଡ଼ିକୁ ସମୟସୀମା ମଧ୍ୟରେ ଶୀଘ୍ର ସାରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଏହାର ନିରୀକ୍ଷଣ କରିବାକୁ କୁହାଯାଇଛି।

୧୩ ଫେବୃଆରୀ ୨୦୨୬ ତାରିଖରେ ଜାରି ହୋଇଥିବା ପତ୍ରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ସମସ୍ତ ଅପେକ୍ଷିତ ମାମଲାକୁ ମିଶନ୍ ମୋଡରେ ସମାଧାନ କରିବା ଓ କୌଣସି ପ୍ରକ୍ରିୟାଗତ ବିଳମ୍ବ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତହସିଲ୍ ଭିତ୍ତିକ ସମୀକ୍ଷା ପରେ ନୂଆପଡ଼ା, କୋରାପୁଟ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁର ଆଦି ଜିଲ୍ଲାର ସକ୍ରିୟ ଅଗ୍ରଗତିକୁ ନେଇ ରାଜସ୍ୱ ସଚିବ ସନ୍ତୋଷ ପ୍ରକାଶ କରିଥିବା ବେଳେ କିଛି ଜିଲ୍ଲାରେ ଅଧିକ ବିଳମ୍ବ ଓ ଅସନ୍ତୋଷଜନକ ପ୍ରଗତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତି l

ଡ. ପାଢ଼ୀ କହିଛନ୍ତି ଯେ କଲମ–୨ ବା ଖତିଆନରେ ୨ ଖାନା ସଂଶୋଧନ କେବଳ ଏକ ସାଧାରଣ ସରକାରୀ ପ୍ରକ୍ରିୟା ନୁହେଁ ; ଏହା ଜମି ମାଲିକାନାର ସୁରକ୍ଷା ଓ ସରକାରୀ ସେବା ପ୍ରଦାନ ସହ ସିଧାସଳଖ ଭାବରେ ସମ୍ପୃକ୍ତ। ସଠିକ୍ ସଂଶୋଧନ ଓ ଚାଷୀ ପଞ୍ଜୀକରଣ ମାଧ୍ୟମରେ ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାର ସିଧାସଳଖ ସୁଫଳ ପାଇପାରିବେ l ମାତ୍ର ଏଥିରେ ବିଳମ୍ବ ହେଲେ ନାଗରିକମାନେ ସିଧାସଳଖ ପ୍ରଭାବିତ ହେବେ ଏବଂ ପ୍ରଶାସନିକ କାର୍ଯ୍ୟକୁଶଳତା ହ୍ରାସ ପାଇବ।

ଏହି ପରିପ୍ରେକ୍ଷୀରେ ଜାରି ହୋଇଥିବା ପ୍ରମୁଖ ନିର୍ଦ୍ଦେଶାବଳୀଗୁଡିକ ମଧ୍ୟରେ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେଇ ସମସ୍ତ ଅପେକ୍ଷିତ ବା ବଳକା ମାମଲାକୁ ମିଶନ୍ ମୋଡରେ ସଠିକ୍ ସମୟରେ ସାରିବାକୁ ଗୁରୁତ୍ୱ ଦିଆଯାଇଛି l ଅଧିକ ବଳକା ମାମଲା ଥିବା ତହସିଲଦାରମାନଙ୍କୁ ଚିହ୍ନଟ କରି ଆବଶ୍ୟକ ନିର୍ଦ୍ଦେଶ ତଥା ଚେତାବନୀ ଜାରି କରିବା ସହ ଅସନ୍ତୋଷଜନକ କାର୍ଯ୍ୟଦକ୍ଷତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉପଜିଲ୍ଲାପାଳ ମାନେ ନିୟମିତ ନିରୀକ୍ଷଣ ପାଇଁ ଉତ୍ତରଦାୟୀ ରହିବା ସହ ବଳକା ମାମଲା ଶୀଘ୍ର ସାରିବା ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ ପାଇଁ ଡ୍ୟାସବୋର୍ଡ ବ୍ୟବସ୍ଥା ଆରମ୍ଭ ହେବ। ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କିତ ସଂଯୁକ୍ତ ରିପୋର୍ଟ ନିୟମିତ ଭାବରେ ଦାଖଲ କରିବା ସହ ଏଥି ସହ ସମ୍ପୃକ୍ତ ସମସ୍ୟାଗୁଡ଼ିକୁ ବିଭାଗକୁ ଅବଗତ କରାଇବା ପାଇଁ କୁହାଯାଇଛି l

ଏହି ପ୍ରୟାସର ଲକ୍ଷ୍ୟ ହେଉଛି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାକିଥିବା ମାମଲାର ଉଲ୍ଲେଖନୀୟ ହ୍ରାସ ସୁନିଶ୍ଚିତ କରିବା। ଏହାକୁ “ପ୍ରାଥମିକତା” ଭାବେ ଗ୍ରହଣ କରି ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ କରିବାକୁ ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ଆରଡିସିଙ୍କୁ ବ୍ୟକ୍ତିଗତ ଭାବେ ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l