କାବୁଲ, ୧୯/୦୨: ଆଫଗାନିସ୍ତାନରେ ନିର୍ଯାତିତ ମହିଳା। କେତେବେଳେ ପାଠ ପଢିବା ଉପରେ କଟକଣା ତ ଆଉ କେତେବେଳେ ଘରୁ ବାହାରିବା ଉପରେ କଟକଣା। ଆଉ ଏବେ ମହିଳା ବିରୋଧୀ ହିଂସାକୁ ପ୍ରୋତ୍ସାହନ। କେବଳ ପ୍ରୋତ୍ସାହନ ନୁହେଁ, ବରଂ ଏକ ନୂଆ ନିୟମ ଲାଗୁ କରିଛି ଆଫଗାନିସ୍ତାନର ତାଲିବାନ ସରକାର।
ତାଲିବାନ ଆଣିଛି ନୂଆ ନିୟମ। ମହିଳାମାନଙ୍କୁ ନିର୍ଯାତନା ଦେବା ଅପରାଧ ନୁହେଁ ବୋଲି ଏହି ନୂଆ ଆଇନରେ କୁହାଯାଇଛି। ସ୍ତ୍ରୀକୁ ସ୍ୱାମୀ ମାରି ପାରିବ। ଭୁଲ ଥିଲେ ସ୍ତ୍ରୀକୁ ମାରିବା ସ୍ୱାମୀର ଅଧିକାର। ଏପରିକି ଶାରୀରିକ ନିର୍ଯାତନା ସେତେବେଳେ ଯାଏଁ ଅପରାଧ ନୁହେଁ, ଯେତେବେଳେ ଯାଏଁ ମାଡ଼ ଯୋଗୁଁ ସ୍ତ୍ରୀର ହାଡ଼ ନ ଭାଙ୍ଗିଛି। ଏପରି ଅଜବ ହିଂସାତ୍ମକ ନିୟମ ଲାଗୁ କରିଛି ତାଲିବାନ।
ଆଫଗାନିସ୍ତାନରେ ଏକ ୯୦ ପୃଷ୍ଠା ବିଶିଷ୍ଟ ‘ଫୌଜଦାରୀ ସଂହିତା’ କାର୍ଯ୍ୟକାରୀ କରିଛି ତାଲିବାନ। ଏହି ନୂତନ ସଂହିତା ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଘରୋଇ ହିଂସାକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛି। ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଆଇନରେ କୁହାଯାଇଛି ଯେ ସ୍ୱାମୀମାନେ ସେମାନଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ଶାରୀରିକ ଭାବରେ ଦଣ୍ଡ ଦେଇପାରିବେ। କିନ୍ତୁ ଯେପରି ହାଡ ଭାଙ୍ଗି ନଯାଏ, ସେଥିପ୍ରତି ଧ୍ୟାନ ଦେବେ।
ମାଡ଼ ମାରିବା ବେଳେ ଯଦି ସ୍ତ୍ରୀର ହାଡ଼ ଭାଙ୍ଗିଥାଏ, ତେବେ ସ୍ବାମୀଙ୍କୁ ସର୍ବାଧିକ ୧୫ ଦିନ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଏହା ସେତେବେଳେ ହେବ, ଯେତେବେଳେ ସ୍ତ୍ରୀ ଅଭିଯୋଗ କରିବ। ଏପରିକି ସ୍ତ୍ରୀ ଅଭିଯୋଗ କରିବା ପରେ କେସ୍ ଲଢ଼ିବା ବେଳେ ହିଜାବ ପିନ୍ଧି ବିଚାରପତିଙ୍କ ସମ୍ମୁଖରେ ହାଜର ହେବାକୁ ପଡିବ। ତାଙ୍କ ସହିତ ଜଣେ “ପୁରୁଷ ଅଭିଭାବକ” ମଧ୍ୟ ରହିବାକୁ ପଡିବ ବା ସେହି ମାଡ଼ ମାରୁଥିବା ସ୍ୱାମୀକୁ ହିଁ ଉପସ୍ଥିତ ରହିବାକୁ ପଡିବ।
କେବଳ ଏତିକି ନୁହେଁ, ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ କୌଣସି ସମ୍ପର୍କୀୟଙ୍କୁ ଭେଟି ପାରିବେ ନାହିଁ। ଯଦି ସେପରି କରନ୍ତି, ତାହାଲେ ମହିଳାଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ହେବ।
ନିୟମ ଅନୁସାରେ, କେଉଁ ପ୍ରକାର ଲୋକଙ୍କୁ କିଭଳି ଦଣ୍ଡ ମିଳିବ, ତାହା ମଧ୍ୟ ଉଲ୍ଲେଖ ରହିଛି। ସମାଜକୁ ଚାରିଟି ଶ୍ରେଣୀରେ ଭାଗ କରାଯାଇଛି। ସେହି ଅନୁସାରେ କାହାକୁ କେତେ ଦଣ୍ଡ ମିଳିବ, ତା’ର ନିଷ୍ପତ୍ତି ନିଆଯିବ।
ଇସଲାମିକ ଧାର୍ମିକ ବିଦ୍ୱାନ: ସେମାନଙ୍କୁ କେବଳ ପରାମର୍ଶ ଦିଆଯିବ, କୌଣସି ଦଣ୍ଡ ଦିଆଯିବ ନାହିଁ।
ଆଭିଜାତ୍ୟ ଶ୍ରେଣୀ: ସେମାନଙ୍କୁ ଡକାଯାଇ ବୁଝାଯିବ।
ମଧ୍ୟବିତ୍ତ ବର୍ଗ: ସେମାନଙ୍କୁ ଜେଲ ଦଣ୍ଡ ଦିଆଯାଇପାରେ।
ନିମ୍ନ ବର୍ଗ: ସେମାନଙ୍କୁ କାରାଦଣ୍ଡ ଏବଂ ଶାରୀରିକ ଦଣ୍ଡ, ଯେପରିକି ଚାବୁକ ମାଡ଼, ଭୋଗିବାକୁ ପଡ଼ିବ। ଆଶ୍ଚର୍ଯ୍ୟର କଥା, ଏହି ଚାବୁକ ମାଡ଼ ଜେଲ୍ ଅଧିକାରୀମାନଙ୍କ ଦ୍ୱାରା ନୁହେଁ ବରଂ ଧାର୍ମିକ ଧର୍ମଗୁରୁଙ୍କ ଦ୍ୱାରା କରାଯିବ।
ନୂତନ ୯୦ ପୃଷ୍ଠାର ଦଣ୍ଡ ସଂହିତା ୨୦୦୯ ମସିହାରେ ଆମେରିକା ସମର୍ଥିତ ପୂର୍ବ ଶାସନ ଦ୍ୱାରା ପ୍ରଚଳିତ ମହିଳା ହିଂସା ବିରୋଧୀ ଆଇନ (EVAW)କୁ ରଦ୍ଦ କରିଦେଇଛି।
ମହିଳାମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ କ୍ଷୁର୍ଣ୍ଣ କରୁଥିବା ଏହି ଆଇନକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି।