ରମଜାନର ପ୍ରଥମ ଦିନରେ ଭୟଙ୍କର ବିସ୍ଫୋରଣ

୧୬ ମୃତ, ୧୪ ଆହତ

କରାଚୀ, ୧୯/୦୨: ପାକିସ୍ତାନର ପ୍ରମୁଖ ସହର କରାଚୀରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର କରାଚୀରେ ହୋଇଥିବା ଏହି ବିସ୍ଫୋରଣ ଏକ ସନ୍ଦେହଜନକ ଗ୍ୟାସ୍ ଲିକ୍ ଯୋଗୁଁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ପ୍ରାୟ ୧୪ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସକାଳେ କରାଚୀର ଏକ ଆବାସିକ କୋଠାରେ ବିସ୍ଫୋରଣ ଘଟିଥିଲା। ପୁରୁଣା ସୋଲଜର ବଜାର ଅଞ୍ଚଳରେ ଅବସ୍ଥିତ ବିଲ୍ଡିଂର ପ୍ରଥମ ମହଲାରେ ସକାଳ ପ୍ରାୟ ସାଢ଼େ ୪ଟାରେ ବିସ୍ଫୋରଣ ଘଟିଥିଲା।

ପୋଲିସ ରିପୋର୍ଟ କରିଛି ଯେ ବିସ୍ଫୋରଣ ସ୍ଥଳରୁ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୧୪ ଜଣ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବିସ୍ଫୋରଣ ଯୋଗୁଁ ବିଲ୍ଡିଂର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ସେବା କହିଛି ଯେ ସେମାନେ ଏବେ ବି କୋଠାରେ ମୃତଦେହ କିମ୍ବା ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି। ମୃତକଙ୍କ ମଧ୍ୟରେ ଦୁଇରୁ ୧୭ ବର୍ଷ ବୟସର ନଅ ଜଣ ପିଲା ଅଛନ୍ତି। ଆହତଙ୍କ ମଧ୍ୟରେ ସାତ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି।