ଅସହାୟଙ୍କ ସାଥୀ ସାଜିଲେ ସମାଜସେବୀ

ଅନ୍ତେବାସୀଙ୍କୁ ଚନ୍ଦ୍ରହାସିନୀ ଓ ବିଭିନ୍ନ ଧର୍ମପୀଠ ଭ୍ରମଣ କରାଇଲେ ସୁବ୍ରତ ବିର୍ତ୍ତିଆ

ବରଗଡ଼, ୨୦/୦୨: ସମାଜସେବା କ୍ଷେତ୍ରରେ ପୁଣି ଏକ ମାନବିକତାର ପରିଚୟ ଦେଇଛନ୍ତି ବରଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ। ବରଗଡ଼ ସହର ମଧ୍ୟରେ ଥିବା ରାତ୍ର ଆଶ୍ରୟସ୍ଥଳୀର ଅସହାୟ ଅନ୍ତେବାସୀମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ସେ ଏହି ଅନ୍ତେବାସୀମାନଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ପ୍ରସିଦ୍ଧ ଚନ୍ଦ୍ରହାସିନୀ ପୀଠ ସମେତ ଅନ୍ୟାନ୍ୟ ଦେବପୀଠ ବୁଲାଇ ଆଣିଛନ୍ତି।

ଭକ୍ତିମୟ ପରିବେଶରେ ଦିନଟିଏ

ସମାଜସେବୀ ଶ୍ରୀ ବିର୍ତ୍ତିଆ ରାତ୍ର ଆଶ୍ରୟସ୍ଥଳୀରେ ରହୁଥିବା ଅସହାୟ ବୃଦ୍ଧବୃଦ୍ଧା ଓ ଅନ୍ୟାନ୍ୟ ଅନ୍ତେବାସୀମାନଙ୍କ ପାଇଁ ଏହି ଭ୍ରମଣର ବ୍ୟବସ୍ଥା କରିଥିଲେ। ଅନ୍ତେବାସୀମାନେ ପ୍ରଥମେ ଛତିଶଗଡ଼ ସ୍ଥିତ ମା’ ଚନ୍ଦ୍ରହାସିନୀଙ୍କ ଦର୍ଶନ କରିଥିଲେ। ଏହାପରେ ସେମାନଙ୍କୁ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଯଥା: ଭଟଲି ଅମ୍ବାଭୋନା କେଦାରନାଥ ପୀଠ, ଭଟଲି ଦଧିବାମନ ପୀଠ ଶ୍ୟାମ୍ ମନ୍ଦିର ପରି ସମସ୍ତ ପୀଠ ପରିଦର୍ଶନ କରାଇବା ସହ ସେଠାରେ ଦେବାଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଅନ୍ତେବାସୀଙ୍କ ମନରେ ଉତ୍ସାହ

ଦୀର୍ଘ ଦିନ ଧରି ଚାରିକାନ୍ଥ ମଧ୍ୟରେ ସୀମିତ ଥିବା ଅସହାୟ ଅନ୍ତେବାସୀମାନେ ବାହାର ଦୁନିଆକୁ ଦେଖିବା ସହ ପବିତ୍ର ଧର୍ମପୀଠ ଗୁଡ଼ିକ ବୁଲି ଦର୍ଶନ କରିବା ପରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। “ସୁବ୍ରତ ବାବୁଙ୍କ ଏହି ପ୍ରଚେଷ୍ଟା ଯୋଗୁଁ ଆମେ ମାନେ ଠାକୁର ଦର୍ଶନ କରିପାରିଲୁ, ଯାହା ଆମ ପାଇଁ ଏକ ସ୍ୱପ୍ନ ଥିଲା” ବୋଲି ଜଣେ ଅନ୍ତେବାସୀ ଭାବବିହ୍ୱଳ ହୋଇ କହିଛନ୍ତି।

ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆଙ୍କ ଏଭଳି ପରୋପକାରୀ କାର୍ଯ୍ୟକୁ ବରଗଡ଼ ସହର ତଥା ଜିଲ୍ଲାବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅସହାୟ ଲୋକଙ୍କ ଜୀବନରେ ଆନନ୍ଦର ଏକ ନୂତନ ଲହରୀ ଖେଳାଇ ଦେଇଛି।