ଭୁବନେଶ୍ୱର, ୨୦/୦୨: ଓଡ଼ିଶା ସିଭିଲ ସର୍ଭିସ ପାଇଁ ଆବେଦନ କରିପାରିବେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ। ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ାଯାଇଛି ‘ତୃତୀୟ ଲିଙ୍ଗ’ ବିକଳ୍ପ। ପୂର୍ବରୁ କେବଳ ପୁରୁଷ ଓ ମହିଳା ବିକଳ୍ପ ଥିବା ବେଳେ ଏବେ ତୃତୀୟ ଲିଙ୍ଗୀଙ୍କୁ ସୁଯୋଗ ଦେବା ପାଇଁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ (OCS) ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ଏହି ବର୍ଗର ପ୍ରାର୍ଥୀମାନଙ୍କୁ ପରୀକ୍ଷାରେ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ପଞ୍ଜୀକରଣ ଓ ଆବେଦନ ଅବଧି ମଧ୍ୟ ବୃଦ୍ଧି କରାଯାଇଛି।
ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେହି ସମ୍ପର୍କିତ ଡକ୍ୟୁମେଣ୍ଟ ଦାଖଲ କରିବା ଅନିବାର୍ଯ୍ୟ ହେବ। ଏ ନେଇ ଓଡ଼ିଶା ମାନବାଧିକାର କମିଶନ (OHRC)ଙ୍କ ନିର୍ଦ୍ଦେଶ ରହିଛି।
ସୋନି ସିଲ୍ ନାମକ ଜଣେ ତୃତୀୟ ଲିଙ୍ଗ (ଟ୍ରାନ୍ସଜେଣ୍ଡର) ପ୍ରାର୍ଥୀ ଓପିଏସସି (OPSC) ପରୀକ୍ଷା ଫର୍ମରେ ଏହି ବିକଳ୍ପ ନଥିବାରୁ ଭେଦଭାବ ହେଉଥିବା ଅଭିଯୋଗ କରି ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ଆଧାର କରି OHRC ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟର ସମସ୍ତ ସରକାରୀ ବିଭାଗ ଓ ନିଗମଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।