ଦିଲ୍ଲୀରେ ବଡ଼ ଆତଙ୍କୀ ହମଲା କରିବ ଲସ୍କର!

ଗୁଇନ୍ଦା ସୂଚନା ମିଳିବା ପରେ ହାଇ ଆଲର୍ଟ ଜାରି; ଜୋରଦାର ବ୍ଲକିଂ, ଚେକିଂ

ନୂଆଦିଲ୍ଲୀ, ୨୧/୦୨: ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ବଡ଼ ଆତଙ୍କବାଦୀ ବିସ୍ଫୋରଣ ହେବାର ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ, ଆତଙ୍କବାଦୀମାନେ ଚାନ୍ଦନୀ ଚୌକରେ ଏକ ମନ୍ଦିରକୁ ମଧ୍ୟ ଟାର୍ଗେଟ କରିପାରନ୍ତି।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲସ୍କର-ଏ-ତୋଏବା ସକ୍ରିୟ ଅଛି ଏବଂ IED ଆକ୍ରମଣ ଷଡଯନ୍ତ୍ର କରୁଛି। ତେଣୁ ଜନଗହଳିପୂର୍ଣ୍ଣ ଓ ବଜାର ମାନଙ୍କରେ ଯାଞ୍ଚ ପ୍ରକ୍ରିୟା ଜୋରଦାର ଚାଲିଛି। ଫେବୃଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦରେ ଏକ ମସଜିଦରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ, ଲସ୍କର-ଏ-ତୋଏବା ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି। ଦେଶର ପ୍ରମୁଖ ମନ୍ଦିରଗୁଡ଼ିକ ଲସ୍କର-ଏ-ତୈବାର ଟାର୍ଗେଟରେ ଅଛି।

ଫେବୃଆରୀ ୬ରେ ଇସଲାମାବାଦରେ ହୋଇଥିବା ଏହି ବିସ୍ଫୋରଣରେ ୩୧ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୧୬୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ନିଜକୁ ଦାୟୀ କରିଛି।

ସୂଚନାଯୋଗ୍ୟ, ୨୦୨୫ ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର କାର ବୋମା ବିସ୍ଫୋରଣର ୧୨ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୨୪ ଜଣ ଆହତ ହୋଇଥିଲେ। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରକ ଭର୍ତ୍ତି ଏକ କାର ବିସ୍ଫୋରଣରେ ନିକଟରେ ଥିବା ଅନେକ ଯାନରେ ନିଆଁ ଲାଗିଯାଇଥିଲା। ତଦନ୍ତ ପରେ ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ଉମର ମହମ୍ମଦ ଓରଫ ଉମର ଉନ୍ ନବି ବିସ୍ଫୋରଣ ହୋଇଥିବା କାରଟିକୁ ଚଳାଉଥିବାର ଜଣାପଡ଼ିଥିଲା।