ଭୁବନେଶ୍ୱର, ୦୪/୦୩: ରଙ୍ଗର ପର୍ବ ହୋଲି ପୂର୍ବରୁ ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ବାମୀ। ହୋଲିରେ ସ୍ତ୍ରୀକୁ ଛୁରି ଭୁସିି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ଭରତପୁର ଥାନା ଅଧୀନ ଫୁଲେଶରି ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଭରତପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ ଓ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁସାରେ, ଗତ କାଲି ରାତି ୦୯:୩୦ ରୁ ୧୦:୦୦ ଟା ମଧ୍ୟରେ ଏହି ଘଟଣା ଘଟିଥିବା ସମୟରେ ଦମ୍ପତି ରାତ୍ରୀଭୋଜନ ପ୍ରସ୍ତୁତ କରୁଥିଲେ। ଉଭୟଙ୍କ ମଧ୍ୟରେ ହଠାତ୍ ଯୁକ୍ତିତର୍କ ହେବାରୁ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ରାଗରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସାବିତ୍ରୀ ମଲ୍ଲିକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସାବିତ୍ରୀ ଘର ବାହାରକୁ ଦୌଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।