ଦେଶରେ ପ୍ରଥମ ଇଚ୍ଛା ମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୧/୦୩: ଦେଶରେ ପ୍ରଥମ ଇଚ୍ଛା ମୃତ୍ୟୁକୁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ। ୩୧ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସର୍ବୋଚ୍ଚ କୋର୍ଟ। ପରିବାର ଲୋକଙ୍କ ଅନୁରୋଧ କ୍ରମେ ଲାଇଫ୍ ସପୋର୍ଟ ହଟାଇବାକୁ ଅନୁମତି ପ୍ରଦାନ। ଏଥିସହ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ ସୁପ୍ରିମକୋର୍ଟ।

ବର୍ଷ ବର୍ଷ ଧରି ରାଣାଙ୍କ ପରିବାର ତାଙ୍କର ଯତ୍ନ ନେବାରେ ଯେଉଁ ଲମ୍ବା ସଂଘର୍ଷ କରିଥିଲେ, ତାହା ମଧ୍ୟ ବିଚାରପତିମାନେ ସ୍ୱୀକାର କରିଛନ୍ତି। କୋର୍ଟ ହରିଶ ରାଣାଙ୍କୁ AIIMSର ପାଲିଏଟିଭ୍ କେୟାର ୟୁନିଟ୍ କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଉପରେ ନଜର ରଖିବେ ଏବଂ ଉପଯୁକ୍ତ ଯତ୍ନ ନେବେ।

ଦୀର୍ଘ ୧୩ ବର୍ଷ ହେଲା କୋମାରେ ପଡ଼ି ଚିକିତ୍ସିତ ହେଉଛନ୍ତି ହରିଶ୍। ଗାଜିଆବାଦର ହରିଶ ରାଣା ଚଣ୍ଡିଗଡ଼ରେ ରହି ପାଠପଢ଼ୁଥିବା ସମୟରେ ୨୦୧୩ ମସିହାରେ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ପଡ଼ିଯାଇଥିଲେ, ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା। ସେବେଠାରୁ ସେ ବିଛଣାରେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି।

ହରିଶ ରାଣାଙ୍କ ବାପାମାଆ ତାଙ୍କ ପୁଅର ଆରୋଗ୍ୟ ପାଇଁ ଆଶା ଛାଡ଼ି ଦେଇଛନ୍ତି। ହରିଶ ୧୦୦% ଅକ୍ଷମ। ଫଳସ୍ୱରୂପ, ତାଙ୍କ ବାପାମାଆ କୋର୍ଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏମ୍ସ ରିପୋର୍ଟ ଅନୁଯାୟୀ, ହରିଶ ରାଣା ସୁସ୍ଥ ହେବା ଆଶା କରାଯାଉନାହିଁ।