ବୟାନ ବାଜି ଜୋରଦାର: ନବୀନଙ୍କ ଟାର୍ଗେଟ, ଜୟନାରାୟଣଙ୍କ କାଉଣ୍ଟର

ମୋତେ କିଣିବାକୁ ନେତା ପଠାଇଥିଲେ ନବୀନ: ପ୍ରତାପ

ଭୁବନେଶ୍ୱର, ୧୪/୦୩: ଦିନକ ପରେ ରାଜ୍ୟସଭା ନିର୍ବାଚନ ଥିବା ବେଳେ ରାଜନୀତି ଏବେ ସରଗରମ ରହିଛି। ଜାରି ରହିଛି ବୟାନବାଜି। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମକ୍ ପୋଲିଂର ପ୍ରଥମ ପର୍ଯ୍ୟାୟରେ ବିଧାନସଭା ପରିସରରେ ବିଜେଡି ବିଧାୟକମାନେ ଯୋଗ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ବାବଦରେ ବିଧାୟକ ମାନେ ବୁଝିଛନ୍ତି।

ମକ ପୋଲିଂ ପରେ ନବୀନ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପି ପ୍ରାର୍ଥୀ ଘୋଡ଼ା ବେପାର ଚେଷ୍ଟା ଜାରି ରଖିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ବୋଲି କହିଛନ୍ତି ନବୀନ।

ସେପଟେ ନବୀନଙ୍କୁ କାଉଣ୍ଟର କରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ନବୀନଙ୍କର ଘୋଡ଼ା ବେପାର ଅଭିଜ୍ଞତା ରହିଛି। ଆମେ ଘୋଡ଼ା ବେପାର କରୁନୁ, ବିବେକାନୁମୋଦିତ ଭୋଟ୍‌ ମାଗିଛୁ। ବିଜେଡି ବୁଡ଼ିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ। ଏଥିରୁ ନବୀନ ପରାଜୟ ସ୍ବୀକାର କରୁଥିବା ଜଣାପଡ଼ିଗଲାଣି ବୋଲି କହିଛନ୍ତି ଜୟନାରାୟଣ।

ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନବୀନଙ୍କ ବୟାନରେ ପ୍ରତିକ୍ରିୟା ରଖି କହିଛନ୍ତି, ଅତୀତରେ ଘୋଡ଼ା ବେପାରରେ ମୋତେ ଅଫର କରିଥିଲେ ନବୀନ। ମୋତେ କିଣିବାକୁ ଚେଷ୍ଟା କରିଥିଲେ, ନେତା ପଠେଇଥିଲେ। ୩ ଜଣ ବିଧାୟକଙ୍କୁ ପଠେଇ ଥିଲେ, ମୁଁ ମନା କରିଥିଲି। ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି, କ୍ଷମତା ଆଉ ନାହିଁ। ଘୋଡ଼ା ବେପାରରେ ନବୀନ ମାହିର ବୋଲି କହିଛନ୍ତି ପ୍ରତାପ।