ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ: ସୁପ୍ରିମକୋର୍ଟ

SIRରେ ନିୟୋଜିତ ୩ ମହିଳା ଅଧିକାରୀଙ୍କୁ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ

ନୂଆଦିଲ୍ଲୀ, ୦୨/୦୪: ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। SIRରେ ନିୟୋଜିତ ୩ ମହିଳା ଅଧିକାରୀଙ୍କୁ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ। ଏଥି ସହ ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ SIRର ସୁପରିଚାଳନା ପାଇଁ ECIଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ଭୋଟର ତାଲିକାରୁ ନାମ କାଟି ଦିଆଯିବାରୁ ଉତ୍ତ୍ୟକ୍ତ ଲୋକମାନେ ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ପାଇଁ ବନ୍ଧକ ରଖିଥିଲେ। ଏହି ଘଟଣା ମାଲଦା ଜିଲ୍ଲାରେ ଘଟିଥିଲା। ବୁଧବାର ଦିନ ଉତ୍ତ୍ୟକ୍ତ ଲୋକେ ତିନି ମହିଳାଙ୍କ ସମେତ ସାତ ଜଣ ଅଧିକାରୀଙ୍କୁ ଘେରି ଯାଇଥିଲେ। ବହୁ ସମୟ ପରେ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ସେମାନଙ୍କୁ ମୁକ୍ତ କରାଯାଇ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହି ଘଟଣା ସମ୍ପର୍କରେ ସୁପ୍ରିମକୋର୍ଟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କଠାରୁ ଉତ୍ତର ମାଗିଛନ୍ତି।

ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ଡିଜିପି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ “ନିଷ୍କ୍ରିୟତା” ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହାର ଜବାବ ରଖିବାକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ ଏହା ପଶ୍ଚିମବଙ୍ଗ ସରକାର ଏବଂ ଅଧିକାରୀଙ୍କ ଦ୍ୱାରା କର୍ତ୍ତବ୍ୟରେ ଅବହେଳା କରାଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନକୁ ନିଜ ହାତରେ ନେବାକୁ କାହାକୁ ଅନୁମତି ଦିଆଯିବ ନାହିଁ ଏବଂ ନ୍ୟାୟିକ ଅଧିକାରୀଙ୍କ ଉପରେ ମାନସିକ ଆକ୍ରମଣ କରିବାକୁ ଅନୁମତି ଦେବ ନାହିଁ। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି।