ଭୁବନେଶ୍ୱର, ୦୬/୦୪: ଭୁବନେଶ୍ବର ଆଜାଦନଗରରେ ଘଟିଥିବା ଭୟାବହ ବିସ୍ଫୋରଣ ଘଟଣାକୁ ନେଇ ଆହୁରି ତଦନ୍ତ ହେବ। ଏହି ମାମଲାର ତଦନ୍ତ ବର୍ତ୍ତମାନ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ହାତରେ ଦିଆଯାଇଛି। ଏହା ସାଧାରଣ ଘଟଣା ନୁହେଁ, ବରଂ ଏଥିରେ ଗଭୀର ଅପରାଧିକ ଓ ସମ୍ଭାବ୍ୟ ଆତଙ୍କୀ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ କରି ଏନଆଇଏ ଏହାର ତଦନ୍ତ କରିବ। ବିସ୍ଫୋରଣ ଘଟଣାରେ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ସନ୍ଦେହ ବଢ଼ିଛି।
ଘଟଣାଟି ଭୁବନେଶ୍ୱରର ଆଜାଦନଗର ଅଞ୍ଚଳରେ ଘଟିଥିଲା। ବୋମା ତିଆରି ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକର ମୃତ୍ୟୁ ହୋଇ ସାରିଛି। ସେହେନୱାଜ ଓ ତାର ମାଆ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣରେ ବିସ୍ଫୋରକ RDX ବ୍ୟବହାର ହୋଇଥିଲା। NIA ବର୍ତ୍ତମାନ ଏହି ଘଟଣାର ସମସ୍ତ ପ୍ରମାଣ ସଂଗ୍ରହ କରୁଛି ଓ ସେହେନୱାଜର ସମ୍ଭାବ୍ୟ ଅପରାଧିକ ଯୋଗାଯୋଗ, ଆତଙ୍କୀ ସଂଗଠନ ସହ ଲିଙ୍କ୍, ଓ ବିସ୍ଫୋରକ ସାମଗ୍ରୀ କେଉଁଠାରୁ ଆଣାଗଲା ତାହାର ତଦନ୍ତ କରୁଛି। ସେହିପରି, ଏହି ଘଟଣାରେ ସେ ଏକା ସାମିଲ ଥିଲେ, ନା ଆଉ କିଏ ଥିଲେ ତାହାର ମଧ୍ୟ ତଦନ୍ତ ଚାଲିଛି।