ବିଚ୍ ରାସ୍ତାରେ ଓକିଲଙ୍କୁ ଗୁଳି କରି ହତ୍ୟା

କ୍ୟାମେରାରେ କଏଦ ଗୁଳିମାଡ଼ ଦୃଶ୍ୟ

ମିର୍ଜାପୁର, ୧୧/୦୪: ଗତ ବର୍ଷ ଓଡ଼ିଶାରେ ଜଣେ ଓକିଲଙ୍କୁ ଗୁଳିମାଡ଼ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଠିକ୍ ଏପରି ଏକ ଘଟଣା ଆଜି ସାରା ଦେଶକୁ ଦୋହଲାଇ ଦେଇଛି। ଶନିବାର ଦିନ ଉତ୍ତର ପ୍ରଦେଶର ମିର୍ଜାପୁରରେ ଜଣେ ଓକିଲଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି।

ଦୁଇଜଣ ବ୍ୟକ୍ତି ବାଇକରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଓକିଲଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ପ୍ରାତଃ ଭ୍ରମଣରେ ଯାଉଥିବା ଓକିଲ ରାଜୀବ ସିଂହ (୪୦) ଙ୍କୁ ଗୁଳିମାଡ଼ କରାଯାଇଛି। ଦୁଇ ଜଣ ବ୍ୟକ୍ତି ଏକ ବାଇକରେ ଆସି ତାଙ୍କ ପାଖରେ ଅଟକି ଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ଗାଡ଼ିରୁ ଓହ୍ଲାଇ ଅତି ପାଖରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସେ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ବାଇକ ଷ୍ଟାର୍ଟ ହୋଇନଥିଲା। ଅବଶ୍ୟ କିଛି ମୁହୂର୍ତ୍ତରେ ଗାଡ଼ି ଷ୍ଟାର୍ଟ ହୋଇଥିଲା ଓ ସେମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପାଞ୍ଚଟି ଟିମ୍ ଗଠନ କରାଯାଇଛି।