ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ବଡ଼ ପଦକ୍ଷେପ, ଚିନି ରପ୍ତାନୀ ରୋକ ବଢିଲା ଆଉ ବର୍ଷେ

ନୂଆଦିଲ୍ଲୀ ୨୯।୧୦: ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ସରକାରଙ୍କ ଦ୍ୱାରା ଚିନି ରପ୍ତାନୀ ଉପରେ ଥିବା ରୋକକୁ ଆଉ ବର୍ଷକ ପର୍ଯ୍ୟନ୍ତ ବଢାଯାଇଛି। ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରପ୍ତାନୀ ରୋକ ଲାଗିଛି। ଏହି ନିଷ୍ପତ୍ତି ସରକାର ଏପରି ଏକ ସମୟରେ ନେଇଛନ୍ତି ଯେତେବେଳେ ଖାଦ୍ୟ ଉତ୍ପାଦ ମୂଲ୍ୟ ବୃଦ୍ଧି ଯୋଗୁ ସାରା ବିଶ୍ୱରେ ତୀବ୍ର ମୂଲ୍ୟ ବୃଦ୍ଧି ହେଉଛି। ଏହା ପୂର୍ବରୁ ସରକାର ଏହି ବ୍ୟାନକୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଲାଗୁ କରିଥିଲେ।

ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ(ଡିଜିଏଫଟି)ଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ବିଦେଶକୁ ଚିନି ରପ୍ତାନୀ ବନ୍ଦ ରହିବ। ତେବେ ଏହି ରୋକ ସିଏକ୍ସଏଲ ଓ ଟିଆରକ୍ୟୁ କୋଟା ଇୟୁରୋପୀୟ ୟୁନିୟନ ଓ ଆମେରିକାକୁ କରାଯାଉଥିବା ଚିନି ରପ୍ତାନୀ ଉପରେ ପ୍ରଜୁଯ୍ୟ ନୁହେଁ।  ଏହାର ଅର୍ଥ ପୂର୍ବ ପରି ଏବେବି ଏହି ଦେଶମାନଙ୍କୁ ଚିନି ରପ୍ତାନୀ ଜାରି ରହିବ।