ନକଲି ନୋଟ୍ କାରବାର ରାକେଟର ପର୍ଦ୍ଦାଫାଶ

୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ

ସୁବର୍ଣ୍ଣପୁର, ୧୫/୦୪: ଏକ ବଡ଼ ନକଲି ନୋଟ୍ କାରବାର ରାକେଟର ପର୍ଦ୍ଦାଫାଶ କରିଛି ସୋନପୁର ପୋଲିସ। ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।

ପୋଲିସର ସୂଚନା ଅନୁଯାୟୀ, ସୋନପୁର ଥାନାଞ୍ଚଳରେ ପାଟ୍ରୋଲିଂ ସମୟରେ ଏପ୍ରିଲ ୧୪ ରାତିରେ ଏହି ନକଲି ଟଙ୍କା ଜବତ କରାଯାଇଥିଲା। ସବ-ଇନ୍ସପେକ୍ଟର ଅନିଲ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ବ୍ଲକ ଛକ ନିକଟରେ ଏକ ସନ୍ଦିଗ୍ଧ SUVକୁ ଅଟକାଇବା ପରେ ଏହାର ପର୍ଦ୍ଦାଫାଶ ହୋଇଥିଲା।

ଗାଡି ଯାଞ୍ଚ ସମୟରେ, ପୋଲିସ ସେମାନଙ୍କଠାରୁ ଏକ ନୀଳ କ୍ୟାରୀ ବ୍ୟାଗ ପାଇଥିଲା। ଯେଉଁଥିରେ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା।

ଅଭିଯୁକ୍ତମାନେ ଯାଜପୁର ଜିଲ୍ଲାର ଜାଖାପୁରର ଅଭିଳାଷ ପୁରୁଷୋତ୍ତମ ଶତପଥୀ ଓ ନୟାଗଡ଼ ଜିଲ୍ଲାର ପ୍ରଶାନ୍ତ ଦାସ। ଉଭୟଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କଠାରୁ ଗାଡ଼ି ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ପଚରାଉଚରା ସମୟରେ, ସେମାନେ ବରଗଡ଼ ଜିଲ୍ଲାରୁ ନକଲି ଟଙ୍କା ସଂଗ୍ରହ କରିଥିବା ଏବଂ ଏହାକୁ ସୋନପୁର ଏବଂ ନିକଟସ୍ଥ ଅଞ୍ଚଳରେ ଚାଲାଣ କରୁଥିବା ମାନିଛନ୍ତି।