ପିଏମ୍ ମୋଦିଙ୍କର ଓ ମୋର ପତ୍ନୀ ସମସ୍ୟା ନାହିଁ: ରାହୁଲ ଗାନ୍ଧୀ
ପ୍ରିୟଙ୍କାଙ୍କ ଚାଣକ୍ୟ ଜୋକ୍ ପରେ ରାହୁଲଙ୍କ ହାଲୁକା ମନ୍ତବ୍ୟ: ବିତର୍କ ମଧ୍ୟରେ ହସିଲା ଗୃହ
ନୂଆଦିଲ୍ଲୀ, ୧୭/୦୪: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏକ ହାଲୁକା ମନ୍ତବ୍ୟ ଦେଇଥିବାରୁ ଗୃହରେ ଏକ ମଜାଳିଆ ପରିବେଶ ସୃଷ୍ଟି ହୋଇଥିଲା।
ଭାଷଣ ଦେଉଥିବା ସମୟରେ ରାହୁଲ କହିଥିଲେ, “ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ମା’, ଭଉଣୀ କିମ୍ବା ପତ୍ନୀ ଭଳି ମହିଳାମାନଙ୍କର ବହୁତ ପ୍ରଭାବ ଥାଏ। ମହିଳାମାନେ ଆମ ଜାତିର ଏକ ବଡ଼ ଶକ୍ତି ଏବଂ ପ୍ରେରଣା।। ଏହି ଗୃହର ପ୍ରତ୍ୟେକ ଲୋକ ତାଙ୍କ ମା’ ଓ ଭଉଣୀଙ୍କଠାରୁ ବହୁତ କିଛି ଶିଖିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଓ ମୋର କୌଣସି ‘ପତ୍ନୀ ସମସ୍ୟା’ ନାହିଁ।” ରାହୁଲଙ୍କ ଏହି ମନ୍ତବ୍ୟ ଶୁଣି ସଦସ୍ୟମାନେ ହସିବାକୁ ଲାଗିଥିଲେ।
ସେହିପରି ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନେଇ ମଧ୍ୟ ଆଉ ଏକ ମଜାଳିଆ କଥା କହିଥିଲେ ଯେ, “ଗତକାଲି ମୁଁ ମୋ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ୫ ମିନିଟରେ ଏତେ ଜୋକ୍ କରୁଥିବା ଦେଖିଲି ଯାହା ମୁଁ ମୋ ୨୦ ବର୍ଷର ରାଜନୈତିକ ଜୀବନରେ କରିପାରିନଥିଲି। ସେ ଅମିତ ଶାହଙ୍କୁ ହସାଇ ଦେଇଥିଲେ।”
ଗୁରୁବାର ଦିନ, ମହିଳା ସଂରକ୍ଷଣ ଆଇନ ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଲ୍ ଉପରେ ବିତର୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାୟ ୨୦ ମିନିଟ୍ ଧରି ଭାଷଣ ଦେଇଥିଲେ। ପ୍ରିୟଙ୍କା ଗାନ୍ଧୀ ତାଙ୍କ ଭାଷଣରେ ଅମିତ ଶାହଙ୍କୁ ଇଙ୍ଗିତ କରି କହିଥିଲେ, “ଯଦି ଚାଣକ୍ୟ ଜୀବିତ ଥା’ନ୍ତେ ତେବେ ଆପଣଙ୍କ ଚାଲାକି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥା’ନ୍ତେ।” ଉଲ୍ଲେଖଯୋଗ୍ୟ, ଶାହଙ୍କୁ ପ୍ରାୟତଃ ଭାରତୀୟ ରାଜନୀତିର ଚାଣକ୍ୟ ବୋଲି କୁହାଯାଏ। ଏହା ଶୁଣି ବିଜେପି ସାଂସଦମାନେ ବହୁତ ହସିଥିଲେ।