୨୦୨୫ – ୨୬ ଆର୍ଥିକ ବର୍ଷରେ ନାଲକୋର ଐତିହାସିକ ଆର୍ଥିକ ଫଳାଫଳ

୫,୮୧୬ କୋଟିର ନିଟ୍ ଲାଭ ସହ ୧୭,୮୪୩ କୋଟି ଟଙ୍କାର ମୋଟ ବ୍ୟବସାୟ

ଭୁବନେଶ୍ଵର, ୩୦।୦୪: : କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ(ନାଲକୋ) ଆର୍ଥିକ ବର୍ଷ ୨୦୨୫-୨୬ ରେ ଉତ୍ପାଦନ ଓ ବିକ୍ରୟ ତଥା ନିଟ୍ ଲାଭ ଅର୍ଜନ କ୍ଷେତ୍ରରେ ନିଜର ସର୍ବକାଳିନ ସର୍ବାଧିକ ରେକର୍ଡକୁ ଦୋହରାଇଛି । ଆଜିର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ ୨୦୨୫-୨୬ରେ ସର୍ବକାଳୀନ ସର୍ବାଧିକ ୫,୮୧୬ କୋଟି ଟଙ୍କାର ନିଟ୍ ଲାଭ (କର ପରବର୍ତ୍ତୀ ଲାଭ) ଅର୍ଜନ କରିଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୫,୩୨୫ କୋଟି ଟଙ୍କା ଥିଲା (୯.୨% ଅଭିବୃଦ୍ଧି)। ଏଥିସହ, ଆର୍ଥିକ ବର୍ଷ ୨୦୨୫-୨୬ରେ ମଧ୍ୟ କମ୍ପାନୀ ସର୍ବକାଳିନ ସର୍ବାଧିକ ୧୭,୮୪୩ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୧୬,୭୮୮କୋଟି ଟଙ୍କା ଥିଲା।

ଏଥିସହ, ୨୦୨୬ ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନିଟ୍ ଲାଭରେ ୭% ଅଭିବୃଦ୍ଧି ଘଟି ୧,୭୧୮ କୋଟି ଟଙ୍କା ହୋଇଛି ଯାହା ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ୧,୬୦୧ କୋଟି ଟଙ୍କା ଥିଲା । ସେହିପରି, ଚତୁର୍ଥ ତ୍ରୈମାସିକରେ କମ୍ପାନୀ ୫,୧୦୩ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ତୃତୀୟ ତ୍ରୈମାସିକରେ ଏହି ପରିମାଣ ୪,୭୩୧ କୋଟି ଟଙ୍କା ଥିଲା ।

ଉତ୍ପାଦନ ପରିମାଣ ବୃଦ୍ଧି, ଉନ୍ନତ ବ୍ୟବସାୟ ଏବଂ ୟୁନିଟ୍‌ଗୁଡ଼ିକରେ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବା ଦ୍ୱାରା ଏହି ଫଳାଫଳ ହାସଲ ହୋଇପାରିଛି ଯାହା ଏକ ଗତିଶୀଳ ବଜାର ପରିବେଶରେ କମ୍ପାନୀର ସ୍ଥିର ପ୍ରଦର୍ଶନକୁ ବଜାୟ ରଖିଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୫-୨୬ ରେ ନାଲକୋ ମଧ୍ୟ ସ୍ଥାପନା ପରଠାରୁ ସର୍ବୋତ୍ତମ ଉତ୍ପାଦନ ଓ ବ୍ୟବସାୟିକ ପ୍ରଦର୍ଶନ ହାସଲ କରିଛି ।

କମ୍ପାନୀ ୭୭.୦୧ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ଏବଂ ୭୭.୦୭ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନରେ ଏହାର ସର୍ବୋଚ୍ଚ ରେକର୍ଡ କରିଛି। ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ୨୩ ଲକ୍ଷ ଟନ୍ ରେ ପହଞ୍ଚିଛିଥିବାବେଳେ କାଲସାଇଣ୍ଡ୍ ଆଲୁମିନା ଉତ୍ପାଦନ ୨୨.୭୫ ଲକ୍ଷ ଟନ୍ ରେ ପହଞ୍ଚିଛି। ସେହିପରି, କାଷ୍ଟ ଧାତୁ ଉତ୍ପାଦନ ସର୍ବକାଳୀନ ସର୍ବାଧିକ ୪.୭୨ ଲକ୍ଷ ଟନ୍, ୬,୯୫୩ ମିଲିୟନ ୟୁନିଟ ରେକର୍ଡ ନେଟ୍ ବିଦ୍ୟୁତ୍ ଉତ୍ପାଦନ ଏବଂ ୪୦ ଲକ୍ଷ ଟନ୍ କୋଇଲା ମଧ୍ୟ ଉତ୍ପାଦନ କରାଯାଇଛି। ବିକ୍ରୟ କ୍ଷେତ୍ରରେ, ନାଲକୋ ଅଭୂତପୂର୍ବ ସଫଳତା ହାସଲ କରିଛି। ମୋଟ ଆଲୁମିନା ବିକ୍ରୟ ୧୪.୪୬ ଲକ୍ଷ ଟନ୍ ରେ ପହଞ୍ଚିଛିଥିବାବେଳେ (୧.୩୮ ଲକ୍ଷ ଟନ୍ ଘରୋଇ ଆଲୁମିନା ବିକ୍ରୟ ଅନ୍ତର୍ଭୁକ୍ତ), ଆଲୁମିନିୟମ୍ ଧାତୁ ବିକ୍ରୟ ୪.୭୪ ଲକ୍ଷ ଟନ୍ ହୋଇଛି ଯେଉଁଥିରେ ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ୪.୬୧ ଲକ୍ଷ ଟନ୍ ଧାତୁ ବିକ୍ରୟ ଅନ୍ତର୍ଭୁକ୍ତ।

“ଉତ୍ପାଦନ ପରିମାଣ ବୃଦ୍ଧି, ଉତ୍ପାଦର ସଠିକ ମୂଲ୍ୟ ଏବଂ ବଜାର ସୁଯୋଗକୁ କୁଶଳୀ ଢଙ୍ଗରେ ବ୍ୟବହାର କରିବାରେ ଆମର ଦକ୍ଷତା ଯୋଗୁଁ ଏହି ଫଳାଫଳ ହାସଲ ହୋଇପାରିଛି। କାରଖାନା, ମାନବ ସମ୍ବଳ ଏବଂ ପ୍ରକ୍ରିୟା ଦକ୍ଷତାକୁ ସୁଦୃଢ କରିବା ନିମନ୍ତେ ଆମର ପ୍ରଚେଷ୍ଟା ଲକ୍ଷ ହାସଲ ଦିଗରେ ସହାୟକ ହୋଇଥାଏ” ବୋଲି ନାଲକୋ ସିଏମଡି ଶ୍ରୀ ବ୍ରଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ,”ଏହି ସଫଳତା ଆମର କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଫଳିତ କରେ, ଯାହା ଦକ୍ଷତା ଏବଂ ମୂଲ୍ୟ ଅନୁକୂଳନ ଦ୍ୱାରା ସମର୍ଥିତ”। ଏଥି ସହ, ଶ୍ରୀ ସିଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ମାର୍ଗଦର୍ଶନ ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ନିମନ୍ତେ ନିଜର କୃତଜ୍ଞତା ଜଣାଇଛନ୍ତି।

ଶ୍ରୀ ସିଂହ କାର୍ଯ୍ୟକ୍ଷମ ଉତ୍କର୍ଷତା ମାଧ୍ୟମରେ ଦୀର୍ଘକାଳୀନ, ସ୍ଥାୟୀ ଅଭିବୃଦ୍ଧି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇବା ସହ ସ୍ଥିର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବା ଏବଂ ନାଲକୋର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ସମ୍ବନ୍ଧରେ ମତ ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ମଧ୍ୟ ପ୍ରତି ଇକ୍ୱିଟି ସେୟାର ପିଛା ୨ ଟଙ୍କା ହିସାବରେ ତୃତୀୟ ମଧ୍ୟବର୍ତ୍ତୀକାଳୀନ ଲାଭାଂଶ(ସମୁଦାୟ ପରିମାଣ ୩୬୭.୩୩ କୋଟି ଟଙ୍କା) ମଧ୍ୟ ଘୋଷଣା କରିଛି।