ପୋଲିସକୁ ଭୁଆଁ ବୁଲାଇ ଚାଲୁଥିଲା ରେଭ୍‌ ପାର୍ଟି

ଭୁବନେଶ୍ୱର ୦୬।୧୧ : ରିସୋର୍ଟ ବାହାରେ ଦାମୀ ଦାମୀ କାର୍‌ ଲାଗିଥିଲା । ଭିତରେ କମ୍ପୁଥିଲା ଡିଜେ । କିଏ ଅର୍ଦ୍ଧନଗ୍ନ ତ’ପୁଣି କିଏ ବିବସ୍ତ୍ର । କିଛି ସୁଇମିଂ ପୁଲ୍‌ରେ ତ’ଆଉ କିଛି ଛାତ ଉପରେ ଅଶ୍ଳୀଳ ଡ୍ୟାନ୍ସ କରୁଥିଲେ । ସବୁ ନିଶାରେ ଚୂର… । ପୁଲିସ୍‌ ପହଞ୍ଚିଲା ବେଳକୁ ରିସୋର୍ଟ ଭିତର ପରିବେଶ ଏମିତି ଥିଲା । ଏହା ହେଉଛି ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ଉ ବେଳର ଦୃଶ୍ୟ । ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଡାଶାଳ ଫାଣ୍ଡି ଅଧୀନ ପାଣିଓରା ସ୍ଥିତ ‘ହାପି ମୋମେଣ୍ଟ’ ରିସୋର୍ଟରେ । ପୁଲିସ୍‌ ସେଠାରେ ଚଢ଼ଉ କରି ୩୦ ଯୁବତୀ, ୫୦ରୁ ଅଧିକ ଯୁବକ ଓ କିଛି ପୌଢ଼ (୫୦ ବର୍ଷରୁ ଅଧିକ) ବ୍ୟକ୍ତିଙ୍କୁ ଧରିଥିଲା । ଏହି ବେଆଇନ୍‌ ରେଭ ପାର୍ଟି ଆୟୋଜନ କରିଥିବା ମାଲିକ ସହିଦନଗର ପ୍ଲଟ୍‌ ନଂ ଏ-୧୨୦ର ଶିବପ୍ରସାଦ ପଟ୍ଟନାୟକ ଓ ପରିଚାଳକ ରାହୁଲ ମଲ୍ଳିକକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ, ଶିବପ୍ରସାଦ କିଛି ଦିନ ତଳେ ରେଭ ପାର୍ଟି ଆୟୋଜନ କରିବେ ବୋଲି ସୋସିଆଲ୍‌ ମିଡିଆରେ ଜଣାଇଥିଲେ । ୫ଟି ଟିକେଟ୍‌ରେ ଗୋଟିଏ ଫ୍ରି ଅଫର ଥିଲା । ଏଣ୍ଟ୍ରିି ଟିକେଟ ମୂଲ୍ୟ ଥିଲା ୭ ଶହ ଟଙ୍କା । ଏଥିରେ କେବଳ ଡିନ୍‌ର ଫ୍ରି-ଥିଲା । ମଦ ପାଇଁ ଅଲଗା ମୂଲ୍ୟ ଦେବାକୁ ପଡିବ ବୋଲି କୁହାଯାଇଥିଲା । ବିୟର ବଟଲ ୧୫୦ ଟଙ୍କା, ବିୟର କେନ୍‌ ୨୨୦ ଟଙ୍କା ଓ ବିଦେଶୀ ମଦ ପେଗ୍‌ ମୂଲ୍ୟ ୨ ଶହେରୁ ଆରମ୍ଭ । ଶୁକ୍ରବାର ରାତି ୯ଟାରୁ ଆରମ୍ଭ ହୋଇଥିଲା ପାର୍ଟି । ରିସୋର୍ଟରେ ୧୦୦ରୁ ଅଧିକ ଲୋକ ଥିଲେ । ସହର ଠାରୁ ଦୂରରେ ଥିବାରୁ ପୁଲିସ୍‌ର ନଜର ନଥିଲା । ଗ୍ରାହକମାନଙ୍କୁ ଉତ୍ତମ ସେବା ଦେବାକୁ ୧୦ ଜଣ ରୂପଜୀବୀଙ୍କୁ ମଧ୍ୟ ନେଇ ରିସୋର୍ଟରେ ରଖିଥିଲେ ଶିବ ପ୍ରସାଦ । ରାତି ବଢ଼ିବା ସାଙ୍ଗକୁ ରେଭ୍‌ ପାର୍ଟିର ତାତି ବଢ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଡିଜେ ସାଉଣ୍ଡରେ ପାଖଆଖ ଲୋକଙ୍କ ନିଦ ହଜି ଯାଇଥିଲା ।