ଓଡିଶା ସମବାୟ ନିର୍ବାହୀ ଅଧିକାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ

ସଂଗଠନର ଏକତା ଓ ସଦସ୍ୟମାନଙ୍କ ସହଯୋଗକୁ ପ୍ରଶଂସା କଲେ ସଭାପତି

ଭୁବନେଶ୍ୱର, ୦୮/୦୫: ଭୁବନେଶ୍ୱରସ୍ଥିତ Institution of Engineers ଠାରେ ଓଡିଶା ସମବାୟ ନିର୍ବାହୀ ଅଧିକାରୀ ସଂଘ ର ସାଧାରଣ ସଭା ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ସଂଘ ର ସଦସ୍ୟମାନେ ଉତ୍ସାହର ସହ ସଭାରେ ଅଂଶଗ୍ରହଣ କରିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ କଲ୍ଯାଣ କୁମାର ଜେନା ସଭାର ଅଧ୍ୟକ୍ଷତା କରିଥିଲେ। ସେ ସଂଗଠନର ଏକତା ଓ ସଦସ୍ୟମାନଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମଣିରଞ୍ଜନ ମିଶ୍ର ସଂଘ ର କାର୍ଯ୍ୟପ୍ରତିବେଦନ ଉପସ୍ଥାପନ କରିଥିଲେ।

ଏହି ଅବସରରେ ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ, ମାନ୍ୟବର ଏକାମ୍ର ଭୁବନେଶ୍ବର ବିଧାୟକ ଶ୍ରୀ ବାବୁ ସିଂ ଏବଂ ସମବାୟ ନିବନ୍ଧକ ଶ୍ରୀ ମନୀଷ ଅଗ୍ରୱାଲ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ମାନ୍ୟବର ମନ୍ତ୍ରୀ ସମସ୍ତ ସଦସ୍ୟଙ୍କ ନିଷ୍ଠା, କର୍ତ୍ତବ୍ୟନିଷ୍ଠା ଏବଂ ସମବାୟ କ୍ଷେତ୍ର ପ୍ରତି ଅଙ୍ଗୀକାରବଦ୍ଧତା ତଥା ସଂଘ ର କାର୍ଯ୍ୟକାରିତାକୁ ଭୂୟସୀ ପ୍ରଶଂସା କରିଥିଲେ। ମାନ୍ୟବର ବିଧାୟକ ସଂଘର ସମସ୍ତ ଦାବୀକୁ ସମର୍ଥନ କରି ସମସ୍ତ ଦାବୀକୁ ପୂରଣ କରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସମବାୟ ନିବନ୍ଧକ ତାଙ୍କ ବିବୃତିରେ କହିଥିଲେ ଯେ ସଦସ୍ୟଙ୍କ ନିଷ୍ଠା, କର୍ତ୍ତବ୍ୟନିଷ୍ଠା ଏବଂ ସମବାୟ କ୍ଷେତ୍ର ପ୍ରତି ଅଙ୍ଗୀକାର ଯୋଗୁଁ ଓଡିଶା ଆଜି ସାରା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ଆଗାମୀ ଦିନରେ ଏହିଭଳି କାର୍ଯ୍ୟ କୁ ଜାରି ରଖି ଓଡିଶାର ସମବାୟକୁ ଶିଖରରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ।

ସମସ୍ତ ଅତିଥିମାନେ ଅଧିକାରୀମାନଙ୍କ ଯୁକ୍ତିସଂଗତ ଦାବିଗୁଡିକ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଏକତାବଦ୍ଧ ଭାବେ କାମ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।

ସଭା ଶେଷରେ ଉପ-ସହକାରୀ ନିବନ୍ଧକ ଶ୍ରୀମତୀ ଲୋପମୁଦ୍ରା ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ।

ଦ୍ଵିତୀୟାର୍ଦ୍ଧରେ, ସଂଘର ବିଭିନ୍ନ ପଦାଧିକାରୀ ମାନଙ୍କ ନିର୍ବାଚନ କାର୍ଯ୍ୟ ସୁଚାରୁ ରୂପେ ଓ ସ୍ୱଚ୍ଛ ପ୍ରକ୍ରିୟାରେ ସମ୍ପନ୍ନ ହୋଇଥିଲା। ନିର୍ବାଚନରେ ସର୍ବଶ୍ରୀ କଲ୍ଯାଣ କୁମାର ଜେନା ଓ ସମୀର ରଞ୍ଜନ ଶ୍ରୀଚନ୍ଦନ ଯଥାକ୍ରମେ ସଭାପତି ଏବଂ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେଇଥିଲା ବେଳେ ଅନ୍ୟ ପଦବୀ ପାଇଁ ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନେ ନିର୍ବାଚିତ ହୋଇଥିଲେ।

ନୂତନ ଭାବେ ନିର୍ବାଚିତ ପଦାଧିକାରୀମାନେ ସଂଗଠନର ଉନ୍ନତି ଏବଂ ସଦସ୍ୟମାନଙ୍କ ହିତ ସୁରକ୍ଷା ପାଇଁ ନିଷ୍ଠାର ସହ କାମ କରିବାକୁ ସଂକଳ୍ପ ପ୍ରକାଶ କରିଥିଲେ।