କାନାଡ଼ା ହାଇ କମିଶନରଙ୍କ ନାଲକୋ ମୁଖ୍ୟାଳୟ ପରିଦର୍ଶନ
କମ୍ପାନୀର ବରିଷ୍ଠ ପରିଚାଳନା ସଦସ୍ୟଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
ଭୁବନେଶ୍ୱର, ୦୮/୦୫: ଭାରତରେ ଅବସ୍ଥାପିତ କାନାଡ଼ାର ହାଇକମିଶନର ମହାମହିମ ଶ୍ରୀ କ୍ରିଷ୍ଟୋଫର କୁଟରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।
ମହାମହିମ ଶ୍ରୀ କୁଟର ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କ ସମେତ ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ଅନିଲ କୁମାର ସିଂହ ନିର୍ଦ୍ଦେଶକ (ବାଣିଜ୍ୟିକ) ଏବଂ ଶ୍ରୀ ପ୍ରଣବଜ୍ୟୋତି ନାଥ, ଭା.ପ୍ର.ସେ, ସିଭିଓ ଙ୍କ ସମେତ କମ୍ପାନୀର ବରିଷ୍ଠ ପରିଚାଳନା ସଦସ୍ୟଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
କ୍ରିଟିକାଲ ମିନେରାଲ, ସ୍ଥାୟୀ ସମ୍ବଳ ବିକାଶ ଏବଂ ଭବିଷ୍ୟତର ସମ୍ପ୍ରସାରଣ ଯୋଜନା କ୍ଷେତ୍ରରେ ରଣନୈତିକ ସହଯୋଗ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଖଣି ଏବଂ ଧାତୁ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ମତ ଉପସ୍ଥାପନ କରିଥିଲେ ଏବଂ କାନାଡା-ଭାରତ ଅର୍ଥନୈତିକ ଏବଂ ଶିଳ୍ପ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦୀର୍ଘକାଳୀନ ସମ୍ପର୍କ ପାଇଁ ସମ୍ଭାବ୍ୟ ମାର୍ଗ ସମ୍ବନ୍ଧରେ ଆଲୋଚନା କରିଥିଲେ। ମହାମହିମ ଶ୍ରୀ କ୍ରିଷ୍ଟୋଫର କୁଟରଙ୍କ ସହିତ ତାଙ୍କ ଧର୍ମପତ୍ନୀ, ଶ୍ରୀମତୀ କରେନ ଜୋଆନ ବ୍ଲୁମେନ୍ସଚେନ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିନିଧି ମଣ୍ଡଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କାନାଡା ହାଇ କମିଶନ କାର୍ଯ୍ୟାଳୟର ଶ୍ରୀ ଅର୍ଜୁନ କୁମାର ଦତ୍ତ, ବାଣିଜ୍ୟ କମିଶନର ଏବଂ ଶ୍ରୀ ରୋହିତ ଶୁକ୍ଳା,ରାଜନୈତିକ-ଅର୍ଥନୈତିକ ଏବଂ ଲୋକ ବ୍ୟାପାର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ଦେଶର ଅଧିକ ନିଟ୍ ବୈଦେଶିକ ମୁଦ୍ରା ଅର୍ଜନକାରୀ ଲୋକ ଉଦ୍ୟୋଗ ମଧ୍ୟରୁ ଅନ୍ୟତମ ଏବଂ ଏହା ନିଜର ଗୁଣାତ୍ମକ ଉତ୍ପାଦ ତଥା କାର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ ବିଶ୍ୱ ସ୍ତରରେ ଖ୍ୟାତି ଅର୍ଜନ କରିପାରିଛି ।
ସୂଚନାଯୋଗ୍ୟ ଯେ, ନାଲକୋ ମଧ୍ୟ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍)ର ଏକ ପ୍ରମୁଖ ଅଂଶୀଦାର, ଯାହା ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚସିଏଲ୍) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ ଆଣ୍ଡ୍ କନସଲ୍ଟାନ୍ସି ଲିମିଟେଡ୍ (ଏମ୍ଇସିଏଲ୍)କୁ ନେଇ ଗଠିତ ଏକ ମିଳିତ ଉଦ୍ୟମ। ଏହି କମ୍ପାନୀ ବିଶ୍ୱ ସ୍ତରରେ କ୍ରିଟିକାଲ ମିନେରାଲ ଅନୁସନ୍ଧାନ, ଅଧିଗ୍ରହଣ ଏବଂ ବିକାଶ ଦିଗରେ ନିୟୋଜିତ।