ବିଜୟଙ୍କ ବଡ଼ ନିଷ୍ପତ୍ତି: ୭୧୭ ମଦ ଦୋକାନ ବନ୍ଦ

ଧାର୍ମିକ ସ୍ଥଳ ଓ ସ୍କୁଲ ନିକଟରୁ ହଟିବ ଆଉଟଲେଟ

ଚେନ୍ନାଇ, ୧୨/୦୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଜୋଶେଫ ବିଜୟ ପ୍ରଥମ ପ୍ରଶାସନିକ ନିଷ୍ପତ୍ତିରେ ସାରା ରାଜ୍ୟରେ ପୂଜାସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟାଣ୍ଡ ନିକଟରେ କାର୍ଯ୍ୟ କରୁଥିବା ୭୧୭ଟି ସରକାରୀ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମନ୍ଦିର, ମସଜିଦ, ଚର୍ଚ୍ଚ, ସ୍କୁଲ, କଲେଜ ଏବଂ ବସ୍ ଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ଥିବା ଏପରି ସମସ୍ତ ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ (ଟାସମାକ୍) ଆଉଟଲେଟ୍ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତାମିଲନାଡୁ ସରକାରଙ୍କ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ମୋଟ ୪,୭୬୫ ଟାସମାକ୍ ମଦ ଦୋକାନ ଅଛି। ବନ୍ଦ କରିବା ପାଇଁ ଚିହ୍ନଟ ହୋଇଥିବା ୭୧୭ ଟି ମଧ୍ୟରୁ ୨୭୬ ଟି ଧାର୍ମିକ ସ୍ଥଳ ନିକଟରେ, ୧୮୬ ଟି ଶିକ୍ଷାନୁଷ୍ଠାନ ନିକଟରେ ଏବଂ ୨୫୫ ଟି ବସ୍ ଷ୍ଟାଣ୍ଡ ନିକଟରେ ଅଛି।

ତେବେ ଟାସମାକ୍ ଦ୍ୱାରା ରାଜ୍ୟର ରାଜସ୍ୱ ଆୟ ବୃଦ୍ଧି ହେଉଥିବା ବେଳେ ବର୍ତ୍ତମାନ ବିଜୟଙ୍କ ମଦ ଦୋକାନ ବନ୍ଦ ଘୋଷଣା ରାଜ୍ୟକୁ ଆର୍ଥିକ କ୍ଷତିର ସମ୍ମୁଖୀନ କରିବାକୁ ଯାଉଛି।

ସୂଚନାଯୋଗ୍ୟ, ୫୧ ବର୍ଷୀୟ ଅଭିନେତାରୁ ରାଜନେତା ହୋଇଥିବା ସିଂ ଜୋଶେଫ ବିଜୟ ରବିବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ତାଙ୍କ ଦଳ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ରାଜ୍ୟରେ ଏକକ ବୃହତ ଦଳ ଭାବରେ ଉଭା ହୋଇଥିଲା। କଂଗ୍ରେସ, ବାମ ଦଳ, ଭିସିକେ ଏବଂ ମୁସଲିମ ଲିଗର ସମର୍ଥନରେ, ଟିଭିକେ ତାମିଲନାଡୁ ଇତିହାସରେ ପ୍ରଥମ ମେଣ୍ଟ ସରକାର ଗଠନ କରିଥିଲା।

ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟ ଘରୋଇ ଗ୍ରାହକଙ୍କ ପାଇଁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ସେ ମହିଳା ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବାହିନୀ ଗଠନକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ଏବଂ ନିଶା ନିବାରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ।