ନୂଆଦିଲ୍ଲୀ, ୧୨/୦୫: NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି NSU। ପରୀକ୍ଷା ପରିଚାଳନାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଓ ପାରଦର୍ଶିତାର ଅଭାବକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବିକ୍ଷୋଭ ସମୟରେ NSUI କର୍ମୀମାନେ କେନ୍ଦ୍ର ସରକାର ଓ National Testing Agency (NTA) ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଦାବି ହେଉଛି, ପରୀକ୍ଷା ପ୍ରକ୍ରିୟାରେ ଯଦି ଅନିୟମିତତା ଘଟିଥାଏ, ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ପୁନଃ ପରୀକ୍ଷା କରାଯିବା ଉଚିତ।
ପ୍ରଦର୍ଶନକାରୀମାନେ କହିଛନ୍ତି ଯେ, ଲକ୍ଷାଧିକ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷାର ସ୍ୱପ୍ନ ନେଇ NEET-UG ପରୀକ୍ଷା ଦେଇଥାନ୍ତି। କିନ୍ତୁ ବାରମ୍ବାର ଏହିପରି ବିବାଦ ପରୀକ୍ଷା ପ୍ରଣାଳୀ ଉପରେ ଭରସାକୁ କମଜୋର କରୁଛି। ତେଣୁ ସରକାର ତତ୍କାଳ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପଟେ NEET ବାତିଲକୁ ନେଇ ବିରୋଧୀଦଳ ନେତା ରାହୁଲ ଗାନ୍ଧି ଟାର୍ଗେଟ୍ କରି କହିଛନ୍ତି, ଏହା କେବଳ ବିଫଳତା ନୁହେଁ, ଯୁବ ପିଢ଼ିଙ୍କ ଭବିଷ୍ୟତ ବିରୋଧରେ ଅପରାଧ। ବାପା ମାଆ ଖର୍ଚ୍ଚାନ୍ତ ହୋଇ ପଢ଼ାଇଲେ, ରେଜଲ୍ଟ ଆସିଲା ପେପର ଲିକ୍। ଶିକ୍ଷା କ୍ଷେତ୍ରରେ ସରକାରୀ ଅବହେଳା ଓ ଦୁର୍ନୀତି ପଦାକୁ ଆସିଛି। ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ କଠିନ ପରିଶ୍ରମ, ତ୍ୟାଗ, ସ୍ବପ୍ନ ଉଭେଇ ଯାଇଛି। ପେପର ମାଫିଆ ଖସି ଯାଉଛନ୍ତି, କିନ୍ତୁ ପରୀକ୍ଷାର୍ଥୀ ସେମାନଙ୍କ ପାଇଁ ଦଣ୍ଡ ପାଉଛନ୍ତି।