ନୂଆଦିଲ୍ଲୀ, ୧୪/୦୫: ପୁଣି ନିର୍ଭୟା ଗଣଦୁଷ୍କର୍ମ ରିପିଟ୍ ହୋଇଛି। ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। ମେ ୧୧ ସୋମବାର ରାତିରେ ଦିଲ୍ଲୀର ରାଣୀ ବାଗ୍ ଅଞ୍ଚଳରେ ଏହି ବର୍ବର କାଣ୍ଡ ଘଟିଛି।
ପୀଡ଼ିତା ଜଣେ ୩୦ ବର୍ଷୀୟା ବିବାହିତା ମହିଳା। ତାଙ୍କର ତିନୋଟି ସନ୍ତାନ ଅଛନ୍ତି। ସେ ପିତାମପୁରାର ଏକ ବସ୍ତିରେ ବାସ କରନ୍ତି। ମଙ୍ଗୋଲପୁରୀର ଏକ କାରଖାନାରେ କାମ କରନ୍ତି।
ଘଟଣା ଦିନ ରାତିରେ କାମ ସରି ଘରକୁ ଫେରୁଥିବା ସମୟରେ ମହିଳା ଜଣକ ସମ୍ବାଦ ସରସ୍ବତୀ ବିହାର ବସ୍ ଷ୍ଟପ୍ ପାଖରେ ଥିବା ଏକ ସ୍ଲିପର୍ ବସ୍ ପାଖକୁ ଯାଇ ବସ୍ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସମୟ ପଚାରିବା ପାଇଁ ଯାଇଥିଲେ। କିନ୍ତୁ ସେହି ବ୍ୟକ୍ତି ଯିଏ କି ବସ୍ କଣ୍ଡକ୍ଟର୍ ତାଙ୍କୁ ଜୋର୍ ଜବରଦସ୍ତି ବସ୍ ଭିତରକୁ ଟାଣି ନେଇଥିଲେ। ବସ୍ ଡ୍ରାଇଭର୍ ସହିତ ଦୁଇଜଣ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ବସ୍ କୁ ରାଣୀ ବାଗ୍ ରୁ ନାଙ୍ଗଲୋଇ ଅଞ୍ଚଳକୁ ପ୍ରାୟ ୭ କିଲୋମିଟର ନେଇଯାଇଥିଲେ। ସେଠାରେ ବସ୍ ରଖି ଏଭଳି କାଣ୍ଡ ଘଟାଇଥିଲେ ଅଭିଯୁକ୍ତ ମାନେ।
ମହିଳା ଜଣକ ସେଠାରୁ ଆସି ଥାନାରେ ଅଭିଯୋଗ କରିବା ପରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅପରାଧରେ ବ୍ୟବହୃତ ବସ୍ ଜବତ କରାଯାଇଛି।