ଚିନି ରପ୍ତାନୀ ବନ୍ଦ: ଭାରତ ସରକାରଙ୍କ ବଡ଼ ଘୋଷଣା

EU ଓ USA ଉପରେ ଲାଗୁ ହେବନି ରପ୍ତାନୀ କଟକଣା

ନୂଆଦିଲ୍ଲୀ, ୧୪/୦୫: ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡାଇରେକ୍ଟୋରେଟ ଜେନେରାଲ ଅଫ ଫରେନ ଟ୍ରେଡ୍ (DGF/DGFT) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଯାହା ଅନୁଯାୟୀ କଞ୍ଚା ଚିନି, ଧଳା ଚିନି ଏବଂ ଶୁଦ୍ଧ ଚିନିର ରପ୍ତାନି ତୁରନ୍ତ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଏହି ପ୍ରତିବନ୍ଧକ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଆଦେଶ ନ ଆସିବା ପର୍ଯ୍ୟନ୍ତ ଲାଗୁ ରହିବ।

ଚଳିତ ସିଜନ୍ (୨୦୨୫-୨୬) ରେ ଚିନି ଉତ୍ପାଦନ ଆଶାଠାରୁ କମ୍ ହୋଇଛି (ଆନୁମାନିକ ୨୭-୩୨ ମିଲିୟନ ଟନ୍)। ଘରୋଇ ଖର୍ଚ୍ଚ ପାଇଁ ପ୍ରାୟ ୩୦ ମିଲିୟନ ଟନ୍ ଆବଶ୍ୟକ ହୋଇଥାଏ। ଏଥିସହ ଇଥାନଲ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ। ରପ୍ତାନି କମ୍ କରିବା ଯୋଗୁଁ ଘରୋଇ ବଜାରରେ ମୂଲ୍ୟ ସ୍ଥିର ରଖିବା ଲକ୍ଷ୍ୟ ରଖାଯାଇଛି। ଏହା ମୁଦ୍ରାସ୍ଫୀତି ଓ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ପୂର୍ବରୁ ଚିନି ରପ୍ତାନି ନୀତି ସୀମିତ ଥିଲା, ଯାହାକୁ ଏବେ ନିଷିଦ୍ଧ କରାଯାଇଛି।

ୟୁରୋପିଆନ ୟୁନିୟନ (EU) ଓ ଆମେରିକା ପାଇଁ ଟାରିଫ୍ ରେଟ୍ କ୍ୱୋଟା (TRQ) ଅଧୀନରେ ରପ୍ତାନି ଜାରି ରହିବ। ପୂର୍ବରୁ ଅନୁମୋଦିତ ଆଗାମୀ ଅଧିକାର (Advance Authorizations), ସରକାରୀ ଖାଦ୍ୟ ସୁରକ୍ଷା ଚୁକ୍ତି ଏବଂ ଯେଉଁ ଜାହାଜରେ ପୂର୍ବରୁ ଲୋଡ୍ ହୋଇଛି ଏବଂ ଶିପିଙ୍ଗ୍ ବିଲ୍ ଫାଇଲ୍ ହୋଇଛି ସେହି କ୍ଷେତ୍ରରେ ରପ୍ତାନୀ ବନ୍ଦ ହେବ ନାହିଁ।

ରପ୍ତାନୀ ବନ୍ଦ ହେବା ଦ୍ୱାରା ଚିନି ମୂଲ୍ୟ ସ୍ଥିର ରହିବ ବା କମିବାର ସମ୍ଭାବନା ରହିଛି, ଯାହା ଗ୍ରାହକଙ୍କ ପାଇଁ ଉପକାରୀ। ଭାରତ ବିଶ୍ୱର ଏକ ବଡ଼ ଚିନି ରପ୍ତାନିକାରୀ ଦେଶ। ଏହି ନିଷ୍ପତ୍ତି ଯୋଗୁଁ ଆନ୍ତର୍ଜାତିକ ଚିନି ମୂଲ୍ୟ ବଢ଼ିପାରେ। ବ୍ରାଜିଲ୍ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ। ରପ୍ତାନି ଆୟ କମିଲେ ମିଲ୍ ଗୁଡ଼ିକୁ ପ୍ରଭାବିତ କରିପାରେ, କିନ୍ତୁ ଘରୋଇ ଯୋଗାଣ ସୁରକ୍ଷିତ ରହିବ।