ମୌସୁମୀର ପ୍ରବେଶ ଦ୍ୱାର କେରଳ: ଭୌଗୋଳିକ କାରଣ ଓ ଓରୋଗ୍ରାଫିକ୍ ବର୍ଷାର ରହସ୍ୟ
ଗତ ୨୧ ବର୍ଷ ଭିତରେ କେବଳ ଥରେ ସଠିକ୍ ପୂର୍ବାନୁମାନ କରିଛି ଆଇଏମଡି଼
କିପରି ପୂର୍ବାନୁମାନ କରେ IMDର ଛଅ ପାରାମିଟର୍ ମଡେଲ୍
ନୂଆଦିଲ୍ଲୀ, ୧୫/୦୫: କେରଳ ହେଉଛି ଭାରତର ମୌସୁମୀ ଦ୍ୱାର। କେରଳ ଭାରତର ପ୍ରଥମ ରାଜ୍ୟ, ଯେଉଁଠାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସବୁ ବର୍ଷ ଆଗୁଆ ଆସେ। ଏହି କାରଣରୁ କେରଳରେ ମୌସୁମୀ ଆସିବାର ତାରିଖ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାଣିପାଗ ଘଟଣା ମଧ୍ୟରୁ ଗୋଟିଏ ହୋଇଥାଏ।
କେରଳରେ ମୌସୁମୀ ଆସିବା ମାନେ ଗ୍ରୀଷ୍ମ ଋତୁର ଶେଷ ଏବଂ ବର୍ଷା ଋତୁର ଆରମ୍ଭ। ଏହା ପରେ ବର୍ଷା ଧୀରେ ଧୀରେ ଉତ୍ତର ଦିଗକୁ ଆଗେଇ ଯାଏ ଏବଂ ସାଧାରଣତଃ ଜୁଲାଇ ମଧ୍ୟଭାଗ ସୁଦ୍ଧା ସମଗ୍ର ଭାରତରେ ବର୍ଷା ହୋଇଥାଏ।
୨୦୦୫ ମସିହାରୁ ଭାରତୀୟ ପାଣିପାଗ ବିଭାଗ (IMD) ପ୍ରତିବର୍ଷ କେରଳରେ ମୌସୁମୀ ଆସିବା ତାରିଖ ପାଇଁ ଆଗରୁ ପୂର୍ବାନୁମାନ ଘୋଷଣା କରିଆସୁଛି। ଏଥିପାଇଁ ଏକ ବିଶେଷ ପରିସଂଖ୍ୟାନ ମଡେଲ ବ୍ୟବହାର କରାଯାଏ। ଏହି ମଡେଲ ଛଅଟି ମୁଖ୍ୟ ପାରାମିଟର୍ ଉପରେ ନିର୍ଭର କରେ — ଭାରତ ଓ ପ୍ରଶାନ୍ତ ମହାସାଗର ଉପରେ ପବନର ଗତି, ଉତ୍ତର-ପଶ୍ଚିମ ଭାରତର ତାପମାତ୍ରା ଏବଂ ଦକ୍ଷିଣ ଚୀନ ସାଗର ଉପରେ ବିକିରଣ ଆଦି।
ତେବେ ଗତ ୨୧ ବର୍ଷ ମଧ୍ୟରେ ଆଇଏମଡିର ମଡେଲ୍ କେବଳ ଗୋଟିଏ ଥର ୨୦୧୫ ମସିହାରେ ପୂର୍ବାନୁମାନ ଠିକ୍ କରିଥିଲା। କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହି ମଡେଲ୍ ଅନେକ ଉନ୍ନତି କରିଛି ଏବଂ ଅଧିକ ନିର୍ଭରଯୋଗ୍ୟ ହୋଇଛି।
ନିକଟ ବର୍ଷର ଉଦାହରଣ:
୨୦୨୫: ମୌସୁମୀ ମଇ ୨୪ ତାରିଖରେ ଆସିଥିଲା। ଆଇଏମଡି ପୂର୍ବାନୁମାନ କରିଥିଲା ମଇ ୨୭ — ମାତ୍ର ୩ ଦିନ ପୂର୍ବରୁ ମୌସୁମୀ।
୨୦୨୪: ପୂର୍ବାନୁମାନ ଥିଲା ମଇ ୩୧, କିନ୍ତୁ ମୌସୁମୀ ମଇ ୩୦ ତାରିଖରେ ଆସିଥିଲା।
୨୦୨୨: ପୂର୍ବାନୁମାନ ଥିଲା ମଇ ୨୭, ଆସିଥିଲା ମଇ ୨୯ ତାରିଖରେ।
ଯଦି ଚଳିତ ବର୍ଷର ପୂର୍ବାନୁମାନ ମଧ୍ୟ ସଠିକ୍ ହୁଏ, ତେବେ ଏହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଖାଯାଉଥିବା ଶୀଘ୍ର ମୌସୁମୀ ଆଗମନର ଧାରା ସହ ମେଳ ଖାଇବ। ୨୦୨୨, ୨୦୨୪ ଏବଂ ୨୦୨୫ ମସିହାରେ ମୌସୁମୀ ଜୁନ୍ ୧ ତାରିଖ ପୂର୍ବରୁ କେରଳରେ ପହଞ୍ଚିଥିଲା।
କେରଳକୁ କାହିଁକି ପ୍ରଥମେ ମୌସୁମୀ ଆସେ?
କେରଳ ଭାରତର ଦକ୍ଷିଣ-ପଶ୍ଚିମ କୂଳରେ ଅବସ୍ଥିତ। ଦକ୍ଷିଣ-ପଶ୍ଚିମ ମୌସୁମୀ ପବନ ଆରବ ସାଗର ଓ ଭାରତ ମହାସାଗରରୁ ଉତ୍ତର-ପୂର୍ବ ଦିଗରେ ଆସେ। କେରଳରେ ତାହା ପ୍ରଥମେ ସ୍ଥଳ ଭାଗ ଛୁଏଁ, ତେଣୁ ପ୍ରଥମେ ଏଠାରେ ପହଞ୍ଚେ।
କେରଳର ପୂର୍ବ ଭାଗରେ ଲମ୍ବା ପଶ୍ଚିମ ଘାଟ ପର୍ବତ ଶ୍ରେଣୀ ଅଛି। ସାଗରରୁ ଆସୁଥିବା ଆର୍ଦ୍ର ପବନ ଏହି ପର୍ବତରେ ଧକ୍କା ହୋଇ ଉପରକୁ ଉଠେ। ଉପରକୁ ଉଠିବା ସମୟରେ ବାୟୁ ଠଣ୍ଡା ହୁଏ ଏବଂ ଘନ ମେଘ ସୃଷ୍ଟି କରେ — ଏହାକୁ ଓରୋଗ୍ରାଫିକ୍ ବର୍ଷା କୁହାଯାଏ। ଯାହା ଫଳରେ କେରଳରେ ପ୍ରଥମେ ଭାରି ବର୍ଷା ହୁଏ।
ଦକ୍ଷିଣ-ପଶ୍ଚିମ ମୌସୁମୀ ମେ’ ମାସର ଶେଷ ଭାଗରୁ ଆରମ୍ଭ ହୋଇ ଧୀରେ ଧୀରେ ଉତ୍ତର ଦିଗକୁ ଆଗେଇ ଯାଏ। କେରଳ ସବୁଠାରୁ ଦକ୍ଷିଣରେ ଥିବାରୁ ଏହା ପ୍ରଥମ ଲକ୍ଷ୍ୟସ୍ଥଳ ହୋଇଥାଏ।