ପ୍ରବଳ ଗରମ ଗୁଳୁଗୁଳିରୁ ରକ୍ଷା କରିବ ବର୍ଷା ପବନ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
୪୫.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର, ୨୦/୦୫: ରାଜ୍ୟର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗାମୀ କିଛି ଦିନ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହିତ ବିଜୁଳି ଏବଂ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି।
ଆଇଏମଡି଼ର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଘଡ଼ଘଡ଼ି ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୨୬ ତାରିଖରେ କେରଳରେ ପ୍ରବେଶ କରିବ, ଯାହାର ମଡେଲ ତ୍ରୁଟି ମାର୍ଜିନ୍ ୪ ଦିନ ପ୍ଲସ୍ କିମ୍ବା ମାଇନସ୍ ହେବ। ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଦକ୍ଷିଣ-ପୂର୍ବ ଆରବ ସାଗର, ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର ଅଧିକ ଅଂଶକୁ ମୌସୁମୀର ଆଗକୁ ବଢ଼ିବା ପାଇଁ ପରିସ୍ଥିତି ମଧ୍ୟ ଅନୁକୂଳ ରହିଛି।
ଆସନ୍ତା ଗୁରୁବାର ସକାଳ ଯାଏଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହିତ ବିଜୁଳି ମାରିବା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି କଟକ, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ବର୍ଷା ଘଡ଼ଘଡ଼ି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ କେତେକ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ବର୍ଷା ପବନ ସତ୍ତ୍ୱେ, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ପରିସ୍ଥିତି ଜାରି ରହିବ। ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ରାତିରେ ପ୍ରବଳ ଗୁଳୁଗୁଳି ହେବ। ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକ ଯଥା ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ପୁରୀ ଏବଂ ଖୋର୍ଦ୍ଧାରେ ତାତି ସହ ଗୁଳୁଗୁଳି ଲାଗି ରହିବ।
ବୁଧବାର ରାଜ୍ୟର ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି। ନବରଙ୍ଗପୁରରେ ସର୍ବନିମ୍ନ ସର୍ବନିମ୍ନ ତାପମାତ୍ରା ୨୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା।